ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଆଜି ସକାଳୁ ମଧ୍ୟ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ରହିଥିବା ବେଳେ ସର୍ବାଧିକ ତାପମାତ୍ର ମାଲକାନଗିରିରେ ରହିଛି। ଫୁଲବାଣୀରେ ତାପମାତ୍ର ୫.୦୩ଡିଗ୍ରି ସେଲସିୟସ ରହିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଏକ ସତର୍କ ସୂଚନାରେ କୁହାଯାଇଛି।
ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ ଓ କଟକର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣ କୁହୁଡି ହେବା ଦେଖିବାକୁ ମିଳିବ।
ସେହିପରି ୨୮ତାରିଖରୁ ୨୯ ତାରିଖ ମଧ୍ୟରେ ରାଜ୍ୟର ନୟାଗଡ଼, କୋରାପୁଟ, ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି, କଟକ, ଖୋର୍ଧା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ରହିବ।
ଏଥିସହିତ ଡିସେମ୍ବର ୨୯ରୁ ୩୦ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଖୋର୍ଧା, ନୟାଗଡ଼, ପୁରୀ, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁବର୍ଣ୍ଣପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ବି ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣ କୁହୁଡି ହେବା ନେଇ ପୂର୍ବାନୁମାନ କରାଯାଇଛି। ତେଣୁ ଏହି କୁହୁଡି ସମୟରେ ଲୋକାମାନଙ୍କୁ ରାସ୍ତାରେ ଯାତାୟାତ ନେଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଏହି କୁହୁଡି ହେତୁ ଅନେକ ସମୟରେ ଦୁର୍ଘଟଣାମାନ ଘଟିଥିବାର ଅନେକ ରିପୋର୍ଟ ରହିଛି।