ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ରାଜ୍ୟର ୯ଟି ଜିଲ୍ଲା ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି। ଗଞ୍ଜାମ, ଯାଜପୁର, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥି ସହିତ ଏହି ଜିଲ୍ଲାର ଅଧିବାସୀମାନଙ୍କୁ ବର୍ଷା, ପବନ, ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ ଯଦି ଘରୁ ବାହାରିବା ଆବଶ୍ୟକ ପଡେ ତେବେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଗତକାଲି ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୫.୫ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୨୧.୫ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରହିଥିଲା। ସେହିପରି ଯାଜପୁର, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, କନ୍ଧମାଳ, ପୁରୀ, ଅନୁଗୁଳ, ଦେଓଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଦେଓଗଡ଼, କୋରାପୁଟ ଆଦି ସ୍ଥାନରେ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର