୪ ଦିନ ଶୁଖିଲା ପାଗ, ତଥାପି ବଢ଼ିବନି ତାତି

ଭୁବନେଶ୍ବର : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। କାଳବୈଶାଖୀର କୌଣସି ସମ୍ଭାବନା ନଥିଲେ ମଧ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦ ସ୍ତରରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ। ଅଳ୍ପ କିଛି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ବା ଏହା ପାଖାପାଖି ରହିବ। କିନ୍ତୁ ବିଶେଷ କିଛି ତାତି ବଢ଼ିବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର କହିଛି।

ରବିବାର ରାଜ୍ୟର କିଛି କିଛି ସ୍ଥାନରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ଅପରାହ୍ନ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ବିଶେଷ କରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ଝଡ଼ବର୍ଷା ହୋଇଯାଇଛି। କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନ ସହ ଉତ୍ତର ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ଦେଖାଦେଇଛି। କିନ୍ତୁ ଅବଶିଷ୍ଟ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଅନ୍ୟପଟେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି। ତେବେ ଆସନ୍ତା ୪/୫ ଦିନ ଧରି ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର