୧୮ ଓ ୧୯ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

ତାପମାତ୍ରା ସ୍ୱାଭାବିକକୁ ଫେରିଆସିବ, ଶୀତ କମିବ

ଭୁବନେଶ୍ବର : ଆସନ୍ତା ୧୮ ଓ ୧୯ ତାରିଖରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୩ ଦିନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକକୁ ଫେରିଆସିବ ଓ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତା ୨ ଦିନ ପାଗ ଶୁଖିଲା ରହିବା ପରେ ୧୮ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପା‌ରେ। ସେହିଭଳି ୧୯ ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ବର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବ। ୨୦ ତାରିଖରୁ ପାଗରେ ପରିବର୍ତ୍ତନ ଦେଖାଯିବ ଓ ପାଗ ଖରାଟିଆ ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ମିଳିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୮ ଡିଗ୍ରି ରେକର୍ଡ ହୋଇଛି। ଏହାସହ ଦାରିଙ୍ଗବାଡ଼ି ଓ ଜି. ଉଦୟଗିରିରେ ମଧ୍ୟ ୮ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୪ ଡିଗ୍ରି ରହିଥିଲା, ଯାହାକି ସ୍ବାଭାବିକ ରାତି ତାପମାତ୍ରାଠାରୁ ୫ ଡିଗ୍ରି କମ୍‌। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିଲା।

ସମ୍ବନ୍ଧିତ ଖବର