୪ ଦିନ କାଳବୈଶାଖୀ: ଉପକୂଳ‌ରେ କମୁଛି ତାତି, ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ଗତକାଲିଠାରୁ ପାଗରେ ପରିବର୍ତ୍ତନ ଦେଖାଯାଇଛି। ଉପକୂଳ ଓ ଆଭ୍ୟନ୍ତରରେ ତାପମାତ୍ରା ଅପେକ୍ଷାକୃତ କମିଛି। ସେହିପରି କିଛି ଦିନ ହେଲା ୪୫ଡିଗ୍ରି ଉପରେ ରହୁଥିବା ପଶ୍ଚିମ ଓଡ଼ିଶାର ପାରଦ ଆଜି ପାଖାପାଖି ୨ଡିଗ୍ରି ତଳକୁ ଖସିଛି। ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୋନପୁରଠାରେ ୪୩.୨ଡିଗ୍ରି ରେକର୍ଡ ହୋଇଛି। ପଛକୁ ରହିଛି ବୌଦ୍ଧ(୪୨.୫ ଡିଗ୍ରି) ଓ ଫୁଲବାଣୀ ସହର(୪୨.୨ ଡିଗ୍ରି)। ଆଜି ରାଜ୍ୟର ମୋଟ ୫ଟି ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିଥିବା ‌ବେଳେ ୧୮ ସହରର ତାପମାତ୍ରା ୪୦ ଉପ‌ରେ ରହିଥିଲା। ଅନ୍ୟପଟେ ସମଗ୍ର ଉପକୂଳର ତାପମାତ୍ରା ଆଜି ୪୦ ତଳକୁ ଖସିଛି। ରାଜଧାନୀରେ ସର୍ବୋଚ୍ଚ ୩୭.୭ଡିଗ୍ରି ଓ କଟକରେ ତାପମାତ୍ରା ଥିଲା ୩୭ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଦେଖାଯିବ। ତେଣୁ ତାପମାତ୍ରା ଆହୁରି କମିବ ବୋଲି ଆ‌ଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, କାଳବୈଶାଖୀ ଯୋଗୁଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ପବନର ୪୦ରୁ ୪୫କିମି ମଧ୍ୟରେ ରହିବାର ସମ୍ଭାବନା ଥିବାରୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ବଜ୍ରପାତରୁ ବର୍ତ୍ତିବା ପାଇଁ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଳକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ୪ ତାରିଖ ଦିନ ସମଗ୍ର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଅଞ୍ଚଳଗୁଡ଼ିକରେ କାଳବୈଶାଖୀ ବର୍ଷା ହେବ। ଏଣୁ ବଜ୍ରପାତଜନିତ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ରାଜଧାନୀରେ ପାଗ ଆଂଶିକ ମେଘୁଆ ରହିବ। ସଂଧ୍ୟା ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ।

ସମ୍ବନ୍ଧିତ ଖବର