ଉପକୂଳ ମେଘୁଆ, ଗୁଳୁଗୁଳି ପିଛା ଛାଡ଼ୁନି

ଭୁବନେଶ୍ବର : ସୋମବାର ଦିନ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିଲା। ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ଉତ୍ତରପ୍ରଦେଶ, ବିହାର ମଧ୍ୟ ଦେଇ ଉତ୍ତର ବାଂଲାଦେଶ ଯାଏ ପୂର୍ବ-ପଶ୍ଚିମ ଭାବେ ବାୟୁମଣ୍ଡଳରେ ୦.୯ କିମି ଯାଏ ଲମ୍ବିଥିବା ନିମ୍ନ ଚାପରେଖା ତଥା ଝାଡ଼ଖଣ୍ଡ ଓ ତା’ ପାଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କିମି ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା। ଏହା ସତ୍ତ୍ବେ ଉପକୂଳବାସୀ ଗୁଳୁଗୁଳିରେ ହନ୍ତସନ୍ତ ହୋଇଥିଲେ। ଗତକାଲି ଭୁବନେଶ୍ବରରେ ସର୍ବୋଚ୍ଚ ୩୪.୬ ଓ କଟକରେ ୩୫.୪ ଡିଗ୍ରି ତାପମାତ୍ରା ରହିଥିଲେ ହେଁ ଗୁଳୁଗୁଳି ଯୋଗୁଁ ଭୀଷଣ ଗରମ ଅନୁଭୂତ ହୋଇଥିଲା। ଆଜି ମଧ୍ୟ ଉପକୂଳରେ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରି ମଧ୍ୟରେ ରହିବ।

ଗତକାଲି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ବୌଦ୍ଧରେ ସର୍ବାଧିକ ୪୨.୨ ଡିଗ୍ରି ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଆସନ୍ତା ୩ରୁ ୪ ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, କେରଳର ଅବଶିଷ୍ଟ ଭାଗ, ତାମିଲନାଡୁ ଓ କର୍ଣ୍ଣାଟକର ଆଉ କିଛି ଅଂଶ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ, ଉତ୍ତର-ପୂର୍ବ ବ‌ଙ୍ଗୋପସାଗରର କେତେକ ଅଞ୍ଚଳ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ସକ୍ରିୟ ହେବା ନେଇ ଅନୁକୂଳ ବାତାବରଣ ରହିଛି।

ସମ୍ବନ୍ଧିତ ଖବର