ଭୁବନେଶ୍ବର : ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ଆରମ୍ଭ କଲା। ଇତିମଧ୍ୟରେ ଏହାର ଦ୍ବିତୀୟ ପର୍ଯ୍ୟାୟ ରିପୋର୍ଟ (୨୦୧୮-୨୦୨୩) ରିଲିଜ୍ ହୋଇଛି। ଏଥିରେ ୧୧ଟି କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଗୋଟିଏ ଜଳବାୟୁ ପରିବର୍ତ୍ତନ ସେଲ୍ ଗଠନ ହୋଇଛି। ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ବଜେଟ୍‌ରେ ଏହି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନାର ଏକ ମନିଟରିଂ ଏବଂ ପରାମର୍ଶଦାତା କମିଟି ଦ୍ୱାରା ସମସ୍ତ କାର୍ଯ୍ୟକଳାପ ସମୀକ୍ଷା କରାଯାଉଥିବା ସରକାର ଦାବି କରିଛନ୍ତି। ଏହାବ୍ୟତୀତ ବିଧାନସଭାରେ ପରିବେଶ ସଂକ୍ରାନ୍ତରେ ଗୋଟିଏ ସ୍ବତନ୍ତ୍ର ଗୃହ କମିଟି ରହିଛି। ସ୍ବାଭାବିକ ଭାବେ ରାଜ୍ୟବାସୀ ଆଶ୍ବସ୍ତ ହେବା କଥା, ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନର ବିଶେଷ ପ୍ରଭାବ ଅନୁଭୂତ ହେବ ନାହିଁ। ହେଲେ ପାଣିପାଗ ବିଜ୍ଞାନୀମାନେ ଗୋଟିଏ ରିପୋର୍ଟ ସାମ୍ନାକୁ ଆଣିଛନ୍ତି, ଯାହା ହୃଦୟ ଥରାଇ ଦେବା ଭଳି। ତାହା ହେଲା, ରାଜ୍ୟ କିଛି ଅଞ୍ଚଳରେ ବିଶ୍ବ ତାପନର ଜବରଦସ୍ତ ପ୍ରଭାବ ପଡ଼ିବା ଆରମ୍ଭ ହେଲାଣି। ଆହୁରି ଆଚମ୍ବିତ କରିବା ଭଳି କଥା ହେଲା, ରାଜ୍ୟର ହାରାହାରି ତାପମାତ୍ରା ପାଖାପାଖି ୨୩.୮ ଡିଗ୍ରି ସେଲ୍‌ସିୟସ୍। ହେଲେ ରିପୋର୍ଟ କହୁଛି ଯେ ୨୦୦୦ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ହାରାହାରି ତାପମାତ୍ରାରେ ପାଖାପାଖି ୦.୫ ଡିଗ୍ରି ସେଲ୍‌ସିୟସ୍ ବୃଦ୍ଧି ହୋଇଛି। କିଛି ବର୍ଷ ଏହା ପାଖାପାଖି ୧ ଡିଗ୍ରି ପାଖାପାଖି ଛୁଇଁଯାଇଛି।

Advertisment

ମୁଖ୍ୟସଚିବ ସମ୍ମିଳନୀରେ ଉଠିଲା ପ୍ରସଙ୍ଗ
ସତର୍କ କରାଇଲା କେନ୍ଦ୍ର, ସବୁ ଯୋଜନାରେ ଗୁରୁତ୍ବ ଦିଅ
ଅକାମୀ ହେଲା କି ଜଳବାୟୁ ପରିବର୍ତ୍ତନ କସରତ

publive-image Farmers' Almanac

ଚଳିତ ବର୍ଷର ରିପୋର୍ଟ ଏଯାଏ ପ୍ରକାଶ ପାଇନଥିଲେ ହେଁ ଫେବ୍ରୁଆରିରୁ ମେ’ ମାସ ମଧ୍ୟରେ ବର୍ଷା ଗାଏବ ହେବା, ସର୍ବୋପରି ମୌସୁମୀର ଅନିଶ୍ଚିତତା ଏବଂ ମାର୍ଚ୍ଚ ପରଠାରୁ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା କାରଣରୁ ଗତବର୍ଷ ଭଳି ଏଥର ବି ହାରାହାରି ତାପମାତ୍ରା ବୃଦ୍ଧି ପାଇଥିବ, ଏଥିରେ ସନ୍ଦେହ ନାହିଁ। କେବଳ ସେତିକି ନୁହେଁ, ରାଜ୍ୟର ହାରାହାରି ତାପମାତ୍ରା ୨୩.୮ ହୋଇଥିବା ବେଳେ ସୋନପୁର, ଟିଟଲାଗଡ, ବୌଦ୍ଧ ଏବଂ ବଲାଙ୍ଗୀରରେ କ୍ରମାଗତ ଭାବେ ତାପମାତ୍ରା ୪୫ ଡ଼ିଗ୍ରି ପାଖାପାଖଇ ରେକର୍ଡ ହେବା ଗ୍ରୀଷ୍ମତାପନର ସ୍ଥାନୀୟ ଅଞ୍ଚଳ ଉପରେ ପ୍ରଭାବ ସଂପର୍କରେ ସୂଚୀତ କରୁଛି। ରାଜ୍ୟରେ ଏଭଳି ଗୋଟିଏ ପରେ ଗୋଟିଏ ଇଲାକା ‘ଉତ୍ତପ୍ତ ଅଞ୍ଚଳ’ ଭାବେ ଚିହ୍ନଟ ହେବାରେ ଲାଗିଛନ୍ତି। ତଥାପି ରାଜ୍ୟ ସରକାର ଏସବୁ ଅଞ୍ଚଳ ପାଇଁ କୌଣସି ସ୍ବତନ୍ତ୍ର କାର୍ଯ୍ୟଯୋଜନା ଏଯାଏ ହାତେଇନାହାନ୍ତି।

ପୂର୍ବତନ ପ୍ରଶାସକମାନେ ଏ କ୍ଷେତ୍ରରେ କିଛି ମୌଳିକ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ ଗତ ୧୨ ବର୍ଷ ଧରି ଓଡ଼ିଶା ସରକାର ଏ ଦିଗରେ ଯେଉଁ କାର୍ଯ୍ୟ ଜାରି ରଖିଛନ୍ତି, ତାହାର ପ୍ରଭାବ ପଡ଼ୁଛି ନା ପଡ଼ୁନି? ତାପମାତ୍ରା ୦.୫ ଡିଗ୍ରି ବୃଦ୍ଧି ପାଇଥିବା ବେଳେ ଏହାର ପ୍ରଭାବ ସ୍ବାସ୍ଥ୍ୟ, ଜୀବଜଗତ ଆଦି ଉପରେ କିଭଳି ପଡ଼ିଛି? କେତେ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି? କୌଣସି ପ୍ରାଣୀ ପ୍ରତି ବିପଦ ଘୋଟିଆସିଛି କି? ଏ ସଂପର୍କରେ ଅନୁଶୀଳନ ଲାଗି କି ସରକାର ଏଯାଏ କି ପଦକ୍ଷେପ ନେଇଛନ୍ତି? ସର୍ବୋପରି ଜଙ୍ଗଲ ଓ ପରିବେଶ ବିଭାଗରେ ଥିବା ସ୍ବତନ୍ତ୍ର ସେଲ୍‌ର ଭୂମିକା ଏ କ୍ଷେତ୍ରରେ କଣ ରହିଛି, ତାହା ମଧ୍ୟ ଜଣାପଡ଼ୁନାହିଁ।

publive-image Photo by : Skymet Weather

ସଂପ୍ରତି ଭାରତବର୍ଷର ମୁଖ୍ୟଶାସନ ସଚିବଙ୍କ ସମ୍ମିଳନୀରେ ମଧ୍ୟ ଏହି ପ୍ରସଙ୍ଗକୁ ଆଜି ଅଧିକ ଗୁରୁତ୍ବ ଦିଆଯାଇଛି। ରାଜ୍ୟମାନେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ବେଳେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ରମ ବା ଯୋଜନା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି। ଏପରିସ୍ଥଳେ ଓଡ଼ିଶା ସରକାର ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟି ରଖି କେଉଁ ଯୋଜନାରେ କି କି ପରିବର୍ତ୍ତନ ଆଣିବେ, ତାହା ଏବେ ଲକ୍ଷ୍ୟ କରିବା କଥା।

ପାଣିପାଗ ବିଜ୍ଞାନୀଙ୍କର କହିବା କଥା ହେଉଛି, “ଜଳବାୟୁ ପରିବର୍ତ୍ତନ” ଏବଂ “ବିଶ୍ୱ ତାପନ” ପ୍ରାୟତଃ ଏକା ବୋଲି ଗୋଟିଏ ଧାରଣା ରହିଥିଲେ ହେଁ ବାସ୍ତବରେ ଏହାର ଆକ୍ଷରିକ ଅର୍ଥ କିନ୍ତୁ ଭିନ୍ନ। ବିଶ୍ୱ ତାପନ ହେଉଛି ମନୁଷ୍ୟକୃତ କାର୍ଯ୍ୟକଳାପ ହେତୁ ଜୀବାଶ୍ମ ଇନ୍ଧନ ବ୍ୟବହାର, ତଥା ଶିଳ୍ପ ବିପ୍ଳବ ପରେ ବାୟୁମଣ୍ଡଳରେ ଅଣ-ପ୍ରାକୃତିକ ଉପାୟରେ ସବୁଜ ଘର ଗ୍ୟାସର ଘନତ୍ୱ ବୃଦ୍ଧି ହେତୁ ପୃଥିବୀ ପୃଷ୍ଠର ହାରାହାରି ଉଷ୍ମତା ବୃଦ୍ଧି ଘଟିବା। କିିନ୍ତୁ ଜଳବାୟୁ ପରିବର୍ତ୍ତନ, ଉଭୟ ମାନବ-ପ୍ରାକୃତିକ ଭାବରେ ଉତ୍ପାଦିତ ଉଷ୍ମତା ଏବଂ ଏହାର ପୃଥିବୀ ଉପରେ ପ୍ରଭାବକୁ ସୂଚୀତ କରିଥାଏ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଉମାଶଙ୍କର ଦାସ କହିଛନ୍ତି, ଶିଳ୍ପ ବିପ୍ଳବ ପରଠାରୁ ବିଭିନ୍ନ କାରଣରୁ ପୃଥିବୀର ହାରାହାରି ତାପମାତ୍ରା ପ୍ରାୟ ୧ ଡିଗ୍ରି ସେଲସିୟସ୍ (୧.୮ ଡିଗ୍ରି ଫାରେନାଇଟ୍) ବୃଦ୍ଧି ପାଇଥିବା ଆକଳନ କରାଯାଇଛି। ଅର୍ଥାତ୍ ଏକ ଦଶନ୍ଧିରେ 0.୨ ଡିଗ୍ରି ସେଲସିୟସ୍ ହାରରେ ବୃଦ୍ଧି ପାଉଛି। ମନୁଷ୍ୟକୃତ କାରଣ ଯୋଗୁଁ ବାୟୁମଣ୍ଡଳ, ମହାସାଗର ଏବଂ ସ୍ଥଳଭାଗ ଉଷ୍ମ ହେବାରେ ଲାଗିଛି। ଏହାର ପ୍ରଭାବରେ ଅନାବୃଷ୍ଟି, ଅତିବୃଷ୍ଟି, ଗ୍ରୀଷ୍ମ ପ୍ରବାହ, ଶୀତ ଲହରୀ ଏବଂ ବାତ୍ୟା ପରି ଉଚ୍ଚ ପ୍ରଭାବୀ ପାଣିପାଗ ଘଟଣା ଗୁଡିକ ଧୀରେ ଧୀରେ ଚରମ ହେବାରେ ଲାଗିଛି।

publive-image

ସବୁଠାରୁ ଚିନ୍ତାର ବିଷୟ ହେଉଛି ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ। ଗବେଷଣା କହୁଛି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଭାରତ ଏବଂ ପାକିସ୍ଥାନ ପରି ଦେଶରେ ଗ୍ରୀଷ୍ମ ପ୍ରବାହ ୩୦ ଗୁଣ ବୃଦ୍ଧିପାଇଛି। କେବଳ ସେତିକି ନୁହେଁ ଏହି ଗବେଷଣା ଆହୁରି କହୁଛି ଯେ ବିଶ୍ୱ ତାପନ ଭାରତ ଏବଂ ପାକିସ୍ତାନରେ ରେକର୍ଡ ଭାଙ୍ଗୁଥିବା ତାପମାତ୍ରା ଆହୁରି ବୃଦ୍ଧି ହେବ। ଚଳିତବର୍ଷ ମାର୍ଚ୍ଚ ମାସର ତାପମାତ୍ରା ୧୨୨ବର୍ଷର ରେକର୍ଡ ଭାଙ୍ଗିଲା। ୧୯୦୧ ରୁ ୨୦୨୨ ମଧ୍ୟରେ ଏଭଳଇ ପରିସ୍ଥିତି କେବେ ସୃଷ୍ଟି ହୋଇନଥିଲା। ଏଥିରେ ହାରାହାରି ୯୦ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଓଡ଼ିଶା ଭଳି ଛୋଟ ରାଜ୍ୟର ରାଜଧାନୀରେ ବି ତାପମାତ୍ରା ୪୪.୨ ଡିଗ୍ରି ଛୁଇଁଯିବା କିଛି କମ୍ ଗୁରୁତ୍ବପୂର୍ଣ୍ଣ କଥା ନୁହେଁ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ରାଜ୍ୟରେ ଅଂଶୁଘାତରେ ୧୦ଜଣଙ୍କର ମୃତ୍ୟୁ ହୋଇଛି।

ଏହି ପ୍ରକ୍ରିୟା ଯଦି ଜାରି ରହିବ, ତେବେ କୃଷକ, ନିର୍ମାଣ ଶ୍ରମିକ, ରାସ୍ତାଘାଟରେ କାର୍ଯ୍ୟରତ ଶ୍ରମିକଙ୍କୁ ସିଧାସଳଖ ବିପଦ ଭିତରକୁ ଟାଣିଆଣିବ ଏବଂ ରାଜ୍ୟର ଫସଲ ଅମଲ ୧୦ରୁ ୩୫ ପ୍ରତିଶତ ଯାଏ ପ୍ରଭାବିତ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଓଡ଼ିଶାର ଭୌଗୋଳିକ ଅବସ୍ଥାନ ଏମିତି ଯେ ଏଠାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବହୁଗୁଣିତ ହୋଇପାରେ। ଏହା ଜୀବନ, ଜୀବିକା, ସଂପତ୍ତି ଓ ଭିତ୍ତିଭୂମିକୁ କେବଳ ନଷ୍ଟ କରିବ ତା ନୁହେଁ, ଦାରିଦ୍ର୍ୟ ଉପରେ ମଧ୍ୟ ପ୍ରଭାବ ରଖିବ। ଏହାକୁ ବିଚାରରେ ରଖି ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ।

publive-image

କୃଷି, ଉପକୂଳ ଏବଂ ବିପର୍ଯ୍ୟୟ, ଶକ୍ତି, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଜଙ୍ଗଲ, ସ୍ୱାସ୍ଥ୍ୟ, ଶିଳ୍ପ, ଖଣି, ପରିବହନ, ସହରାଞ୍ଚଳ ଏବଂ ଜଳ ସମ୍ପଦ ପରି ଏଗାରଟି କ୍ଷେତ୍ରକୁ ଚିହ୍ନଟ କରି ସରକାର ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଏକଥା ସତ ଯେ ଓଡ଼ିଶା ଭଳି ରାଜ୍ୟରେ ଏହାକୁ ଏବେ ପ୍ରମୁଖ ବିଭାଗର ମାନ୍ୟତା ଦେବା ବେଳ ଆସିଛି ଓ ବିଶେଷଜ୍ଞ ନିଯୁକ୍ତି କରି ସବୁ କାର୍ଯ୍ୟକ୍ରମ ଓ ଯୋଜନାରେ ଏହାର ପ୍ରଭାବ ଆକଳନ ସହିତ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି।

ଉଲ୍ଲେଖଥାଉକି, ସାଧାରଣତଃ ଏକ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇଲେ ବାୟୁମଣ୍ଡଳରେ ୭% ଅଧିକ ବର୍ଷା ସୃଷ୍ଟି ହେବାର କ୍ଷମତା ରଖେ। ଏଣୁ ନଦୀରେ ପରିପୂର୍ଣ୍ଣ ଉପକୂଳ ଓଡ଼ିଶା ପାଇଁ ଏହା ଅଧିକ ବିପଦ ଆଣିବ। କେବଳ ସେତିକି ନୁହେଁ, ଓଡ଼ିଶାର ୪୮୦ କିଲୋମିଟର ବେଳାଭୂମି କାରଣରୁ ସମୁଦ୍ର ପତ୍ତନ ବୃଦ୍ଧି ହେଉ କିମ୍ବା ଅତି ଜୁଆରିଆ ସ୍ଥିତି ଗମ୍ଭୀର ପରିସ୍ଥିତିକୁ ଆମନ୍ତ୍ରଣ କରିବ। ଏହାବ୍ୟତୀତ ଓଡ଼ିଶା ଭଳ​ି ରାଜ୍ୟରେ ସ୍ବାସ୍ଥ୍ୟ ପ୍ରତି ବିପଦ ଆଣିବ ହିଁ ଆଣିବ।