ରାତିରେ ଶୀତ, ଦିନରେ ପ୍ରଚଣ୍ଡ ଖରା

ଭୁବନେଶ୍ବର : ରାତିରେ ପ୍ରବଳ ଶୀତ ଓ ଦିନରେ ପ୍ରଚଣ୍ଡ ଖରା। ଗତରାତିରେ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହୋଇଥିଲା। ସେଠାରେ ଦିନର ତାପମାତ୍ରା ଅଧିକ ରହିବା ସହ ଖରା ଟାଣ ହେଉଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିରେ ୩.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୬ ଡିଗ୍ରି ରହିଥିଲା। ସେହିଭଳି ଭୁବନେଶ୍ବରର ରାତି ତାପମାତ୍ରା ୧୪ ଡିଗ୍ରି ଓ କଟକରେ ୧୪.୮ ଡିଗ୍ରି ରହିଥିଲା। ଏଥିସହ ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧଠାରେ ୩୪ ଡିଗ୍ରି ରେକର୍ଡ ହୋଇଯାଇଛି।

preventionweb.net

ଆଜି ରାତିରୁ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯିବ। ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟରେ ଧୀରେଧୀରେ ଶୀତ କମିବ। ଆଜି ସକାଳୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ। ୭ ତାରିଖ ଆଡ଼କୁ କୁହୁଡ଼ିର ମାତ୍ରା ବଢ଼ିବ। ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଖରାଟିଆ ରହିବ। ଦିନରେ ଟାଣ ଖରା ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ଡିଗ୍ରି ଓ ରାତିର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର