୪୪.୨ ଡିଗ୍ରିରେ ଜଳୁଛି ସମ୍ବଲପୁର

ଭୁବନେଶ୍ବର : ଆଜି ବି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଥିବା ବେଳେ ୨ ସହରର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଛି। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଶନିବାର ଦିନ ୪୪.୨ ଡିଗ୍ରି ରେକର୍ଡ ହୋଇଛି। ‌ସେହିପରି ବଲାଙ୍ଗୀରରେ ଶନିବାର ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରହିଥିଲା। ଶନିବାର ଦିନ ରାଜ୍ୟର ମୋଟ୍‌ ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ା, ଟିଟିଲାଗଡ଼ ଓ ସୋନ୍‌ପୁର ଆଦିର ଦିନ ତାପମାତ୍ରା ଶନିବାର ଦିନ ୪୩.୫ ଡିଗ୍ରି ରହିଥିବା ବେଳେ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରି, ବରଗଡ଼ ୪୨.୨ ଡିଗ୍ରି, ନୂଆପଡ଼ା ଓ ମାଲକାନଗିରିରେ ୪୨ ଡିଗ୍ରି ରେକର୍ଡ ହୋଇଛି।

ଶନିବାର ଦିନ କଟକ ସହରର ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରର ଦିନ ତାପମାତ୍ରା କିନ୍ତୁ ୪୦ ଡିଗ୍ରି ଡେଇଁନି। କିନ୍ତୁ ପ୍ରବଳ ଗୁଳୁଗୁଳିରେ ରାଜଧାନୀବାସୀ ହନ୍ତସନ୍ତ ହୋଇଛନ୍ତି। ଅନ୍ୟପଟେ ଶନିବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ସୂଚନା ମିଳିଛି। ବିଶେଷ କରି କନ୍ଧମାଳ, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା ୨ ଦିନ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

କାଳବୈଶାଖୀ ପ୍ରଭାବରେ ରାଜ୍ୟର ତାପମାତ୍ରାରେ ସେମିତି କୌଣସି ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ସେହିଭଳି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତ‌ା ରଜ ଯାଏ ଏହି ତାତି, ଗୁଳୁଗୁଳିରୁ ମୁକ୍ତି ନାହିଁ ‌ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରୁଛନ୍ତି।

ସମ୍ବନ୍ଧିତ ଖବର