ଏ ବର୍ଷ ଶୀଘ୍ର ଖରା, ଉଭୟ ଦିନ ଓ ରାତିର ତାପମାତ୍ରା ୭ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ

ଭୁବନେଶ୍ବର : ଏବର୍ଷ ଶୀଘ୍ର ମାଡ଼ି ଆସୁଛି ଖରା। ସାଧାରଣତଃ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦେଶର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ତେବେ ଏଥର ଫେବ୍ରୁଆରି ୪ର୍ଥ ସପ୍ତାହ ବେଳକୁ ଦେଶର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ। ଉଭୟ ଦିନ ଓ ରାତିର ତାପମାତ୍ରା ୭ରୁ ୮ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ମଧ୍ୟ ମହାରାଷ୍ଟ୍ର ସମେତ ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର କିଛି ଅଞ୍ଚଳରେ ଆଗୁଆ ଗ୍ରୀଷ୍ମ ପ୍ରବାହ ହେବ। ଏହି ଅଞ୍ଚଳଗୁଡ଼ିକରେ ଫେବ୍ରୁଆରି ୨୦ ପରେ ଦିନ ଓ ରାତିର ତାପମାତ୍ରା ନିୟମିତ ଭାବେ ବୃଦ୍ଧି ପାଇବ। ଫେବ୍ରୁଆରି ୧୪ରୁ ୨୦ ତାରିଖ ମଧ୍ୟରେ ଦେଶର ୧୫ ପ୍ରତିଶତ ଅଞ୍ଚଳ ଯଥା‌ ଉତ୍ତରପୂର୍ବ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, wଦକ୍ଷିଣ କୋଙ୍କଣ, ଜାମ୍ମୁ ଓ କାଶ୍ମରି, ହିମାଞ୍ଚଳ ପ୍ରଦେଶ, ପଞ୍ଜାବର କେତେକ ଅଞ୍ଚଳରେ ତାପମାତ୍ରା ୧ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫେବ୍ରୁଆରି ୨୧ରୁ ୨୭ ତାରିଖ ମଧ୍ୟରେ ଉକ୍ତ ଅଞ୍ଚଳଗୁଡ଼ିକରେ ଦିନର ତାପମାତ୍ରା ୩୫ରୁ ୪୦ ପ୍ରତିଶତ ବଢ଼ିବ। ଶେଷ ସପ୍ତାହ ବେଳକୁ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ଦିନ ଭଳି ତାତି ଅନୁଭୂତ ହେବ।

ସେହିପରି ରାତିର ସର୍ବନିମ୍ନ ତାପମାତ୍ରା ବି ଧୀରେ ଧୀରେ ବୃଦ୍ଧି ପାଇବ। ୧୪ରୁ ୨୦ ତାରିଖ ମଧ୍ୟରେ ପାଖାପାଖି ୧୫ ପ୍ରତିଶତ ଅଞ୍ଚଳରେ ରାତିର ସ୍ବାଭାବିକ ତାପମାତ୍ରା ଅଧିକ ରହିବ। ଫେବ୍ରୁଆରି ୨୦ ପରେ ରାଜସ୍ଥାନ, ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ଆରୁଣାଚଳ ପ୍ରଦେଶ, ଆସାମ, ଦକ୍ଷିଣ ମହାରାଷ୍ଟ୍ର ସମେତ ଅନ୍ୟ କିଛି ଅଞ୍ଚଳ ରାତିର ସ୍ବାଭାବିକ ତାପମାତ୍ରା ବହୁ ପରିମାଣରେ ବଢ଼ିବ। ୨୦୧୯ରେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ଲାଗିରହିଥିଲା। ଦେଶର ଅଧିକାଂଶ ସ୍ଥାନରେ ଫେବ୍ରୁଆରି ମାସକୁ ଶେଷ ଥଣ୍ଡା ମାସ ଭାବେ ବିବେଚନା କରାଯାଉଥିବା ବେଳେ ଏଥର ପାଗରେ ଲଗାତାର ଭାବେ ପରିବର୍ତନ ଯୋଗୁଁ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ଓଡ଼ିଶାର କେତେକ ସ୍ଥାନରେ ଇତି ମଧ୍ୟ ଦିନର ତାପମାତ୍ରା ବଢ଼ିଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ଗତକାଲି ୩୫ ଡିଗ୍ରି ଥିବା ବେଳେ ଆଜି ୩୪ ଡିଗ୍ରି ରହିଥିଲା। ଭୁବନେଶ୍ବର ତାପମାତ୍ରା ବି ୩୧.୮ ଡିଗ୍ରିରେ ପହଞ୍ଚିଛି। ଏହାବ୍ୟତୀତ ପାରଳାଖେମୁଣ୍ଡିରେ ୩୩.୧ ଡିଗ୍ରି ରହିଥିବା ବେଳେ ନୟାଗଡ଼, ରାୟଗଡ଼ା, ବୌଦ୍ଧ, ସୋନପୁର, ଭବାନୀପାଟଣା, ତାଳଚେର, ହୀରାକୁଦ, ସମ୍ବଳପୁର, ଚାନ୍ଦବାଲି, କଟକ ଆଦି ସହରରେ ଦିନର ତାପମାତ୍ରରା ୩୦ ଡିଗ୍ରି ଉପରକୁ ଚାଲିଯାଇଛି। ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ ସବୁଠି ରାତିର ତାପମାତ୍ରା ୧୦ ଡିଗ୍ରି ଉପରେ ରହିଛି। ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୮.୮, ଅନୁଗୁଳରେ ୯, ବୌଦ୍ଧରେ ୯.୫ ଡିଗ୍ରି ରହିଥିଲା।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୋନପୁର, ବୌଦ୍ଧ ଓ ଅନୁଗୁଳରେ ଥଣ୍ଡା ଅନୁଭୂତ ‌ହେବ। ଏହାର ପରବର୍ତୀ ଦୁଇ ଦିନ ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ଆସିବ ନାହିଁ। ୧୫ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ। ୧୫ରୁ ୧୭ ତାରିଖ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର