୮ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୨୬ରୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି, ୫ ଦିନ ଲାଗି ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଥିବା ବର୍ଷା ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ମଙ୍ଗଳବାରଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆସନ୍ତା ୨୬ରୁ ୨୯‌ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ। ଘନ କୁହୁଡ଼ି ଯୋଗୁଁ ଗମନାଗମନରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୫ ତାରିଖ ସକାଳ ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ଖୋର୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଏଥିସହ ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପରବର୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ୪୦ ମିମିରୁ ଅଧିକ ବର୍ଷା ହୋଇପାରେ। ତେବେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। କେତେକ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତେବେ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଖୋର୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ପୁରୀ, କନ୍ଧମାଳ, ରାୟଗଡ଼ା, କଟକ, ଜଗତ୍‌ସିଂହପୁର, ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ହେତୁ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଛି। ବୌଦ୍ଧରେ ସର୍ବାଧିକ ୧୮.୬ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୧୬.୬, ହୀରାକୁଦରେ ୧୩.୫, ସୋନପୁରରେ ୧୨, ସୁନ୍ଦରଗଡ଼ରେ ୮, ଅନୁଗୁଳରେ ୩, କେନ୍ଦୁଝରରେ ୨.୮ ମିମି ବର୍ଷା ରେକର୍ଡ ହୋଇଛି। ଏଥିସହ ବାଲେଶ୍ବର, ତାଳଚେର, ବଲାଙ୍ଗୀର ସମେତ ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ସହ ଦିନ ତମାମ କୋହଲା ପାଗ ଲାଗିରହିଥିଲା।

ସମ୍ବନ୍ଧିତ ଖବର