ଭୁବନେଶ୍ୱର : ଆଜି ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସ୍ଥିର ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଏବଂ ପରଦିନ ଉପକୂଳ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲ୍କା ବର୍ଷା ହେବ। ପବନ ବି ବହିବ। ତାପମାନରେ ସାମାନ୍ୟ ପରିବର୍ତନ ହୋଇପାରେ। ଏହା ସତ୍ତ୍ୱେ ଥଣ୍ଡା ଜାରି ରହିବ। ବର୍ଷା ଚାଲିଗଲା ପରେ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବ। ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସୂଚନାନୁସାରେ ଲଘୁଚାପ ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣର କିଛି ସ୍ଥାନରେ ପାଗ ମେଘୁଆ ରହିବ। ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଗୋଟିଏ କି ୨ଟି ସ୍ଥାନରେ ୧୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାୟଗଡ଼ା ସହିତ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା କୁହାଯାଉଛି। ଲଘୁଚାପ ଯୋଗୁଁ ଦକ୍ଷିଣ ପୂର୍ବ ଦିଗରୁ ସାମୁଦ୍ରିକ ପବନ ବହିବ। ପବନର ବେଗ ଘଣ୍ଟାକୁ ୨୦ରୁ ୨୫ କି.ମି. ରହିପାରେ। ବର୍ତମାନ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି। ସେତେବେଳକୁ ସାମୁଦ୍ରିକ ପବନ ବହିବାର ସମ୍ଭାବନା ଥିବାରୁ ଥଣ୍ଡା ପବନର ବେଗ କମିପାରେ। ତଥାପି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ଗତ କିଛିଦିନ ଭଳି ଆଜି ମଧ୍ୟ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ଅନ୍ୟାନ ସ୍ଥାନ ତୁଳନାରେ ସବୁଠାରୁ କମ୍ ୧୨.୫° ସେଲ୍ସିୟସ ରେକର୍ଡ କରାଯାଇଛି। ଫୁଲବାଣୀରେ ୧୪.୨°, ହୀରାକୁଦରେ ୧୫°, କେନ୍ଦୁଝରରେ ୧୫.୧°, କୋରାପୁଟରେ ୧୫.୪°, ଭବାନୀପାଟଣାରେ ୧୬°, ସୁନ୍ଦରଗଡ଼ରେ ୧୬.୫°, ଝାରସୁଗୁଡ଼ାରେ ୧୭.୧°, ଅନୁଗୁଳରେ ୧୭.୬°, ସମ୍ବଲପୁର, ବାଲେଶ୍ୱରରେ ୧୭.୮°, ସୋନପୁରରେ ୧୮.୨°, ବାରିପଦାରେ ୧୮.୪°, ଢେଙ୍କାନାଳରେ ୧୮.୭°, ଟିଟିଲାଗଡ଼ରେ ୧୯°, ମାଲକାନଗିରିରେ ୧୯.୪°, ବଲାଙ୍ଗୀର, ଚାନ୍ଦବାଲି, କଟକରେ ୧୯.୫°, ଭୁବନେଶ୍ୱରରେ ୧୯.୭° ରହିଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ପାରଦ ୨୦° ତଳକୁ ଖସିଛି।
ଆଜିଠାରୁ ହାଲ୍କା ବର୍ଷା, ଥଣ୍ଡା ଜାରି ରହିବ
ଭୁବନେଶ୍ୱର ସମେତ ୨୦ଟି ସ୍ଥାନରେ ୨୦° ତଳେ ପାରଦ
/sambad/media/post_attachments/wp-content/uploads/2017/11/cold.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)