ରାଜ୍ୟର ୧୯ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ଆଜିଠାରୁ ବଦଳିଛି ଓଡ଼ିଶାରେ ପାଣିପାଗର ମିଜାଜ୍। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। କେଉଁଠି ବର୍ଷା ସହ ପବନ ବାଡ଼େଇଛି ତ ଆଉ କେଉଁଠି ଘର ଦ୍ବାର ଭାଙ୍ଗିଛି। ଭୁବନେଶ୍ବର ସମେତ ରାଜ୍ୟର କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବାର ଖବର ବି ଆସିଛି। ଆଗକୁ ଆହୁରି ଅଧିକ ଝଡ଼ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୫ ତାରିଖ ମଧ୍ୟାହ୍ନ ସୁଦ୍ଧା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ, କଟକ ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେବେ ଅପରାହ୍ନଠାରୁ ପାଗରେ ବଡ଼ଧରଣର ପରିବର୍ତନ ଆସିବ। ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ଲାଗିରହିବ। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଘରଦ୍ବାରା ଭାଙ୍ଗିବାର ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସମ୍ବଲପୁର, ଖୋର୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ। ୬ ତାରିଖ ସକାଳୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ। ୮ ତାରିଖରେ ପ୍ରଭାବ ସାମାନ୍ୟ କମିବାକୁ ଥିଲେ ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଓ ରାୟଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆହୁରି ଆକଳନ କରାଯାଇଛି ଯେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ସେଭଳି ପରିବର୍ତନ ଆସିବ ନାହିଁ। ତେବେ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି କମିବ। ଗତ ୩୬ ଘଣ୍ଟା ମଧ୍ୟରେ ବାଲେଶ୍ବରରେ ସର୍ବାଧିକ ୨୬.୬ ମିମି ବର୍ଷା ହୋଇଥିବା ବେଳେ ବାରିପଦା ଓ ସୁନ୍ଦରଗଡ଼ରେ ୧୫, ଫୁଲବାଣୀରେ ୧୩.୪, ଭୁବନେଶ୍ବରରେ ୧୩.୨, ସୋନପୁରରେ ୯.୪, କେନ୍ଦୁଝରରେ ୯.୩ ମିମି ବର୍ଷା ହୋଇଛି।