ହୋଲିରେ ମେଘୁଆ ପାଗ! ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହେବ

ଭୁବନେଶ୍ବର : ମେଘୁଆ ପାଗ ଯୋଗୁଁ ଏ ବର୍ଷ ଫିକା ହୋଇ ଯାଇପାରେ ହୋଲି। ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି।

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କଟକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଆଜି କଟକରେ ୫୩ ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୩୬.୪ ମିମି, ନୟାଗଡ଼ରେ ୨ମିମି, ଚାନ୍ଦବାଲିରେ ୩ମିମି, ବାଲେଶ୍ବର ଓ ଭୁବନେଶ୍ବରରେ ୦.୪ମିମି, ଅନୁଗୁଳ ଓ ତାଳଚେରରେ ୨ମିମି ବର୍ଷା ହୋଇଛି। ସାରା ରାଜ୍ୟରେ କୋହଲା ପାଗ ଜାରି ରହିଥିବା ବେଳେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଆହୁରି ୭ ଦିନ ଏହିପରି ପାଗ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୧୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ମେଘୁଆ ପାଗ ଜାରି ରହିବ। କେତେକ ସ୍ଥାନରେ ୩୦ରୁ ୫୦କିମି ବେଗରେ ପବନ ବହିବା ସହ ବର୍ଷା ହେବ। ୧୫ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ। ୮ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ। ଏପରିକି ୪୦ରୁ ୫୦କିମି ବେଗରେ ପବନ ବହିବ। ସେହିପରି ଗଞ୍ଜାମ, ପୁରୀ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ‌େର ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

୯ତାରିଖରେ ରାୟଗଡ଼ା, ଗଜପତି, ନୂଆପଡ଼ା, କନ୍ଧମାଳର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଗଞ୍ଜାମ, କନ୍ଧମାଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼ରେ କୁଆପଥର ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବହିବ। ୧୧ଓ ୧୨ରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୩ ଓ ୧୪ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନ ହେବାର ନାହିଁ। ସେହିପରି ତିନିରୁ ଚାରି ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରାରେ ବି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୨ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର