ରାଜ୍ୟରେ ୧୮ରୁ ୨୦ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଜି ଦିନତମାମ୍‌ ଖରାର ମାତ୍ରା ବଢ଼ିଥିବା ବେଳେ ଚଳିତ ବର୍ଷର ଗ୍ରୀଷ୍ମର ପ୍ରବାହ ବାରି ହୋଇପଡ଼ୁଥିଲା। ପାଗ ଶୁଖିଲା ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୩୧ ଡିଗ୍ରି ଉପରେ ରହିଥିଲା। ଏହିଭଳି ୧୭ ତାରିଖ ଯାଏଁ ରାଜ୍ୟରେ ଖରାର ମାତ୍ରା ବଢ଼ିବା ସହ ତାପମାତ୍ରା ବି ବଢ଼ିବ। ୧୮ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ଦେଖାଯିବ। ବିଜୁଳି, ଘଡ଼ଘଡ଼ି ସହ କିଛି ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ। ସେହିପରି ୧୯ ତାରିଖରେ ବି ବର୍ଷା ଜାରି ରହିବ ଓ ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ୧୬ ତାରିଖ ସକାଳ ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ସହ ଝଡ଼ବର୍ଷା ହୋଇପା‌ରେ। ଏହାପରେ ୧୬ ଓ ୧୭ ତାରିଖରେ କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, କଟକ, ଭଦ୍ରକ, ଖୋର୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବ। ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ। ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ହେବ। ବରଗଡ଼, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୯ ତାରିଖରେ କେଉଁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ଗଞ୍ଜାମ ଆଜି ଜିଲ୍ଲାରେ ବର୍ଷା ହେବା ସହ ପବନର ବେଗ ବଢ଼ି ୪୦ରୁ ୫୦ କିମି ବେଗରେ ପବନ ବହିବ। ପୁଣି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, କଟକ, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଆଜି ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବ।

ଗତ ୩୬ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୨୩.୦ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରି ଓ ଭବାନୀପାଟଣାରେ ୩୫.୨ ଡିଗ୍ରି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର