ପାଣିପାଗ ଖାତାରେ ନୂଆ ରେକର୍ଡ : ଶୀତରେ ହେଲା ସର୍ବାଧିକ ବର୍ଷା, ଗତ ୧୦ବର୍ଷ ଭିତରେ ଏମିତି ହୋଇନଥିଲା

ଭୁବନେଶ୍ବର : ପାଣିପାଗ ଖାତାରେ ଚଳିତବର୍ଷର ବର୍ଷା ନୂଆ ରେକର୍ଡ ଯୋଡିଛି। ବର୍ଷା ଦିନରେ କେବେ ପ୍ରବଳ ବର୍ଷା ହୋଇଥାଏ, ତ କେବେ ମରୁଡି ପରିସ୍ଥିତି। ହେଲେ ଏଥର କିନ୍ତୁ ଶୀତ ଋତୁରେ ରାଜ୍ୟରେ ଯେତିକି ବର୍ଷା ରେକର୍ଡ କରାଯାଇଛି, ତାହା ଗତ ଦଶ ବର୍ଷରେ କେବେ ଦେଖାଯାଇନଥିଲା। ବସନ୍ତର ସ୍ପର୍ଶ ଅନୁଭବ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ନାହିଁ। ନିୟମିତ ବ୍ୟବଧାନରେ ବର୍ଷା ମାଟିକୁ ସ୍ପର୍ଶ କରୁଛି। ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି, ଏବେ ବି ବର୍ଷାକୁ ବିରାମ ନାହିଁ। ଆସନ୍ତା ୧୮ ତାରିଖରୁ ପୁଣି ବର୍ଷିବ, ୨୧ ତାରିଖ ଯାଏ।

ସାଧାରଣତଃ ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୁଏ। ପ୍ରାୟ ସମୟରେ ତାପମାତ୍ରା ୩୮ ଡିଗ୍ରି ଉପରେ ରୁହେ। ଏପରିକି ବେଳେ ବେଳେ ୪୧ ଓ ୪୨ ଡିଗ୍ରି ତାପମାତ୍ରା ରହିବାର ନଜିର ରହିଛି। ଏଥର କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ପାରଦ ବଢିବ କଣ, ସ୍ଥିତି ଏମିତି ଯେ ଭୋରରୁ ଭୋରରୁ ଥଣ୍ଡା ଅନୁଭବ ହେଉଛି। ଆଉ ତାପମାତ୍ରା ଏଯାଏ ୩୬ ଡିଗ୍ରି ପାଖାପାଖି ରହୁଛି। ଚଳିତ ବର୍ଷ ୱେଟ୍‌ ୱେଦର ବା (ବର୍ଷା ଭିଜା ଶୀତ ଋତୁ) ବୋଲି କହୁଛନ୍ତି ପାଣିପାଗ ବିଜ୍ଞାନୀ। ସେଇଥିପାଇଁ ଏଯାଏଁ ତାପମାତ୍ରା ସେତେ ବଢ଼ିନି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମତ ରଖିଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ ଆର୍ ବିଶ୍ବାସଙ୍କ କହିବା ଅନୁଯାୟୀ, ଗତ ୨/୩ ବର୍ଷର ମାର୍ଚ୍ଚ ମାସର ତାପମାତ୍ରା ଅନୁସାରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଅପେକ୍ଷାକୃତ କମ ରହିଛି। ସାଧାରଣତଃ ଜାନୁଆରି ଓ ଫେବୃଆରି ମାସ ଅର୍ଥାତ୍‌ ଶୀତ ଦିନରେ ୨୯.୨ ମିମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଗତ ୧୦ ବର୍ଷର ରେକର୍ଡ ଭାଙ୍ଗି ୬୩.୧ ମିମି ବର୍ଷା ହୋଇସାରିଲାଣି। ଯାହାକି ଏକ ରେକର୍ଡ ବୋଲି କୁହାଯାଉଛି। ୭ ବର୍ଷ ତଳେ ଅର୍ଥାତ୍‌ ୨୦୧୨ ମସିହାରେ ଜାନୁଆରି ଓ ଫେବୃଆରିରେ ୬୧.୯ ମିମି ବର୍ଷା ହୋଇଥିଲା। ଜାନୁଆରି ‌ଓ ଫେବୃଆରି ଛଡ଼ା ଚଳିତ ବର୍ଷ ‌ମାର୍ଚ୍ଚ ପ୍ରଥମ ୨ ସପ୍ତାହ ମଧ୍ୟ ବର୍ଷା ହେବା ସହ ପାଗ କୋହଲା ରହିଥିଲା। ଫଳରେ ଏହି ସମୟରେ ତାପମାତ୍ରା ଯେତିକିରେ ପହଞ୍ଚିବା କଥା ସେତିକି ନ ହୋଇ ପରିବେଶ ଥଣ୍ଡା ରହିଛି। ରାତିର ତାପମାତ୍ରା ସ୍ଥିର ରହିଛି। ପୁଣି ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ମାର୍ଚ୍ଚ ଶେଷ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଦେଖାଯିବ ନାହିଁ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ କହୁଛି ଯେ ଗତ ଦଶ ବର୍ଷରେ ଅର୍ଥାତ୍‌ ୨୦୧୦ରୁ ୨୦୧୯ ମସିହା ମାର୍ଚ୍ଚ ମାସରେ ଅଧିକାଂଶ ଦିନ ତାପମା‌ତ୍ରା ୪୦ ଡିଗ୍ରି ପାଖାପାଖି ରହିଥାଏ। ଏପରିକି ୨୦୧୦, ୨୦୧୨ ଓ ୨୦୧୩ ମସିହା ମାର୍ଚ୍ଚ ମାସରେ ଭୁବନେଶ୍ବରରେ ତାପମାତ୍ରା ୪୧ ଡିଗ୍ରି ସ୍ପର୍ଶ କରିଥିଲା। ପୁଣି ୨୦୧୪ରେ ମାର୍ଚ୍ଚ ମାସରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରି ଥିବା ହୋଇଥିବା ବେଳେ ୨୦୧୬ରେ ସବୁ ରେକର୍ଡ ଭାଙ୍ଗି ୪୨.୨ ଡିଗ୍ରିରେ ପହଞ୍ଚିଥିଲା। ଚଳିତ ବର୍ଷ କିନ୍ତୁ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ମଧ୍ୟ‌ରେ ସୀମିତ ରହୁଛି। ତେବେ‌ ମାର୍ଚ୍ଚ ୨୧ ପରେ ତାପମାତ୍ରା ବଢ଼ିପାରେ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସମ୍ବନ୍ଧିତ ଖବର