ଆଜିଠାରୁ ବଢ଼ିବ ତାତି : ସାରା ରାଜ୍ୟରେ ଶୁଖିଲା ପାଗ ରହିବ, କାଁ ଭାଁ କିଛି ଜିଲ୍ଲାରେ ବର୍ଷା ହେବ

ଭୁବନେଶ୍ବର : ଆଜିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବ। ସାରା ରାଜ୍ୟରେ ଶୁଖିଲା ପାଗ ରହିବ ଓ କାଁ ଭାଁ କିଛି ଜିଲ୍ଲାରେ ବର୍ଷା ହେବ। ଏହି ସମୟରେ ରାଜ୍ୟରେ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଆସନ୍ତାକାଲି ସକାଳୁ ୨୪ ତାରିଖ ଅପରାହ୍‌ଣ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ଖରା ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ପୁରୀ, ଗୋପାଳପୁର ଓ ପାରାଦୀପ ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ୩୫ ଡିଗ୍ରି ମଧ୍ୟରେ ରହିଛି। ରାତିରେ ତାପମାତ୍ରା କମିବା ସହ ପରିବେଶ ଥଣ୍ଡା ରହୁଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇପାରେ। ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ରହିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର