ଦିନର ତାପମାତ୍ରା ୪ ଡିଗ୍ରି ଯାଏ ବଢ଼ିପାରେ

ଭୁବନେଶ୍ବର : ଏଣିକି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବ। ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବା ସହ ଧୀରେ ଧୀରେ ଖରାର ପ୍ରକୋପ ଅନୁଭୂତ ହେବ। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ବର୍ଷାର ସମ୍ଭାବନା ଖୁବ୍‌ କମ୍‌ ରହିଛି। ତଥାପି ରା‌ଜ୍ୟର କେତେକ ସ୍ଥାନରେ ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତ ବର୍ଷଗୁଡ଼ିକୁ ହିସାବକୁ ନେଲେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧ରୁ ୪୨ ଡିଗ୍ରି ଅତିକ୍ରମ କରୁଥିବା ବେଳେ ଚଳିତ ବର୍ଷର ମାର୍ଚ୍ଚ ମାସରେ ବର୍ଷା ହୋଇଥିବାରୁ ଏବେ ସୁଦ୍ଧା ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଭିତରେ ରହିଛି। ତେବେ ଶେଷ ସପ୍ତାହରେ ବର୍ଷା ହେବାର ସମ୍ଭାବନା ଖୁବ୍‌ କମ୍‌ ଥିବାରୁ ଏହି ସମୟରେ ତାପମାତ୍ରା ୩୮ରୁ ୪୦ ଡିଗ୍ରି ପର୍ଯ୍ୟନ୍ତ ଛୁଇଁବ ବୋଲି ଅନୁମାନ କରାଯାଉଛି।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ପାରାଦୀପ, ଚାନ୍ଦବାଲି, ଭୁବନେଶ୍ବର ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ପାରାଦୀପରେ ସର୍ବାଧିକ ୧୩ ମିମି ବର୍ଷା ହୋଇଛି। ଏହାସହ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ୩୧ରୁ ୩୫ ଡିଗ୍ରି ମଧ୍ୟରେ ରହିଥିଲା। ତେବେ ବୌଦ୍ଧରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମା‌ତ୍ରା ୩୬ ଡିଗ୍ରି ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ତାପମାତ୍ରା କମ ରହିଥିବା ବେଳେ ପରିବେଶ ଥଣ୍ଡା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ପାଗ ମେଘୁଆ ରହିବା ସହ ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଏହି ସମୟରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ରହିପାରେ।

ସମ୍ବନ୍ଧିତ ଖବର