ଆଜିଠାରୁ ରାଜ୍ୟରେ ଗରମ ବଢ଼ିବ, କେତେକ ସ୍ଥାନରେ ପାଗ ମେଘୁଆ ରହିପାରେ

ଭୁବନେଶ୍ବର : ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ୨୭ ଓ ୨୮ ତାରିଖରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପାଗ ମେଘୁଆ ରହିପାରେ। ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ଓ ଖରାଟିଆ ରହିବ। ରାତିର ତାପମାତ୍ରା ବଢ଼ିବ ନାହିଁ। ଗତକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ହୋଇଥିଲା। ଏଣୁ ମାସକ ପର୍ଯ୍ୟନ୍ତ ତାପମାତ୍ରା ସ୍ବାଭାବିକ୍‌ଠାରୁ କମ୍‌ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ମୁତାବକ, ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗରମ ବଢ଼ିବ। ସାଧାରଣ ଭାବେ ପ୍ରଥମେ ଉତ୍ତରପଶ୍ଚିମ ଭାରତରେ ତାପମାତ୍ରା ବଢ଼ିଥାଏ। କ୍ରମଶଃ କେନ୍ଦ୍ରୀୟ ଭାରତ, ଉତ୍ତର ଭାରତ ଦେଇ ଓଡ଼ିଶାକୁ ଗରମ ପବନ ବହିଥାଏ। ବର୍ତ୍ତମାନ ଆକଳନ କରାଯାଉଛି ଯେ ଓଡ଼ିଶା ସମେତ ପୂର୍ବ ଭାରତ ଓ ଆ‌ଭ୍ୟନ୍ତରୀଣ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆଭ୍ୟନ୍ତରୀଣ ମହାରାଷ୍ଟ୍ର ଓ ଛତିଶଗଡ଼ରେ ତାପମାତ୍ରା ପ୍ରଥମେ ବଢ଼ିବ। ଏହାପରେ କ୍ରମଶଃ ଉତ୍ତର ଓ ପଶ୍ଚିମ ଆଡ଼େ ବ୍ୟାପିବ। ଆକଳନ ଅନୁଯାୟୀ, ଆସନ୍ତାକାଲିଠାରୁ ଦିନର ତାପମାତ୍ରା କ୍ରମଶଃ ବଢ଼ିବ ଓ ୨୮ ତାରିଖ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୭ରୁ ୩୮ଡିଗ୍ରି ରହିବ। ୩୧ ତାରିଖ ସୁଦ୍ଧା ଏହା ୪୦ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶା‌ରେ ମଧ୍ୟ ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର