ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ତାତି କମିବ
ଭୁବନେଶ୍ବର : ଗତ ଦୁଇ ଦିନ ହେଲା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିଛି। ଆଜି ମାଲକାନଗିରିକୁ ଛାଡ଼ି ଦେଲେ ରାଜ୍ୟର ବାକି ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା। ଆସନ୍ତା ଦିନରେ ମଧ୍ୟ ତାପମାତ୍ରା ବିଶେଷ ବଢ଼ିବାର ଆଶଙ୍କା ନାହିଁ। ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଖସିବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶିଷ୍ଟ ପାଣିପାଗ ବିଜ୍ଞାନ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ୭ରୁ ୯ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ତାପମାତ୍ରା କମିବ ଓ ତା’ ପରେ ବଢ଼ିବ। ୭ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ଏଥିଯୋଗୁଁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବୋହିବ। ଫଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ ଡିଗ୍ରି ବଢ଼ିବ। ଅଳ୍ପ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ଭୁବନେଶ୍ବର ସମେତ ଏହାର ସଂଲଗ୍ନ ଅଞ୍ଚଳରେ ୬ ଓ ୭ଦିନ ତାପମାତ୍ରା ୨ ଡିଗ୍ରି ବଢ଼ିବ। ତା’ପରେ ବିଶେଷ ବଢ଼ିବ ନାହିଁ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ୩୭ରୁ ୩୮ ଡିଗ୍ରି ମଧ୍ୟରେ ରହିବ।
ସମ୍ବଲପୁର ଓ ଏହା ସଂଲଗ୍ନ ଅଞ୍ଚଳରେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଗରମ ବିଶେଷ ବଢ଼ିବ ନାହିଁ। ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରହିବ। ଝାରସୁଗୁଡ଼ା, ବଲାଙ୍ଗୀର ଓ ଅନୁଗୁଳରେ ଆସନ୍ତାକାଲି ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ି ୮ ତାରିଖରେ କିଛି କମିବ। ତା’ପରେ କ୍ରମଶଃ ବଢ଼ି ୧୩ ତାରିଖ ସୁଦ୍ଧା ତାପମାତ୍ରା ୪୧ରୁ ୪୨ ଡିଗ୍ରି ପାଖାପାଖି ରହିବ। ୧୮ ତାରିଖରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା କମିବ। ୭ ତାରିଖ ଦିନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୮ ତାରିଖ ଦିନ ସାରା ଓଡ଼ିଶାରେ ପାଗ ମେଘୁଆ ରହିବ। କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖରେ ବର୍ଷାର ପ୍ରକୋପ କମି ଉପକୂଳ ଓଡ଼ିଶାରେ ସୀମିତ ରହିବ।