ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ତାତି

୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର : ଗତକାଲି ଅପେକ୍ଷା ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଅପେକ୍ଷାକୃତ ଅଧିକ ଥିଲା। ଗତ ତିନି ଦିନ ହେଲା ରାଜ୍ୟ‌ର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ଓ ବଙ୍ଗୋପସାଗରୀୟ ପବନ ଯୋଗୁଁ ତ‌ାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଥିଲା। କିନ୍ତୁ ଆସନ୍ତାକାଲିଠାରୁ ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବ ଓ ପୁଣି ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ୧୨ରୁ ୧୪ ତାରିଖ ଭିତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ପୁଣି ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତାକାଲି ବି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପା‌ରେ। ବି‌ଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହୋଇପାରେ। କିନ୍ତୁ ରାଜ୍ୟର ବାକି ସମସ୍ତ ସ୍ଥାନ ଶୁଖିଲା ରହିବ ଓ ତାପମାତ୍ରା ବଢ଼ିବ। ୧୨ ଓ ୧୩ ତାରିଖ ସାରା ରାଜ୍ୟରେ ଶୁଖିଲା ପାଗ ରହିବ। ଏହି ସମୟରେ ତାପମାତ୍ରା କିଛି କିଛି ସ୍ଥାନରେ ୪୦ ଡିଗ୍ରି ଅତିକ୍ରମ କରିବ। ତେବେ ୧୪ ଓ ୧୫ ତାରିଖରେ ତାପମାତ୍ରାରେ ପରିବର୍ତ୍ତନ ଘଟିବ। କେତେକ ସ୍ଥାନରେ ପବନର ବେଗ ବଢ଼ିବ ଓ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଗଞ୍ଜାମରେ କାଳବୈଶାଖୀ ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ। ସେହିଭଳି ମାଲକାନଗିରି, ସମ୍ବଲପୁର, ଦେଓଗଡ଼, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ. କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ଖସିବ ଓ ଗରମ କମ୍‌ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆସନ୍ତା ୨ ଦିନ ଭିତରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ତେବେ ଆଜି ବୌଦ୍ଧ ଓ ଅନୁଗୁଳଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଗତ ୩ ଦିନ ହେଲା ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ତଳକୁ ରହିଛି।

ଆସନ୍ତା ୨ ଦିନ ଭିତରେ ତାପମାତ୍ରା ବଢ଼ିବା ସହ ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ପାର କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ ଏହାର ପାଖାପାଖି ଅଞ୍ଚଳ‌ର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ। ଉପରବେଳା ଏହିସବୁ ସ୍ଥାନରେ ଆକାଶ ଆଂଶିକ ମେଘୁଆ ରହିବ।

ସମ୍ବନ୍ଧିତ ଖବର