ଆସନ୍ତା ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ କାଳବୈଶାଖୀ

ଭୁବନେଶ୍ବର : ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ପବନର ବେଗ ସର୍ବାଧିକ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା‌ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍‌ ଦେଇ ବାକି ଜିଲ୍ଲାଗୁଡ଼ିକରେ ତାପମାତ୍ରା କମିବ। ଆଜି ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ବଲାଙ୍ଗୀର, ନବରଙ୍ଗପୁର, ବାଲେଶ୍ବର, ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ବାରିପଦା, ନୂଆପଡ଼ା, କୋରାପୁଟ, ଢେଙ୍କାନାଳ ଆଦି ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି (ରବିବାର) ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କନ୍ଧମାଳ, ମୟୂରଭଂଜ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବାକି ସ୍ଥାନଗୁଡ଼ିକରେ ପାଗ ଶୁଖିଲା ରହିବ। ସେହିପରି ସୋମବାରଠାରୁ ୨୩ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ରାୟଗଡ଼ା, ଗଜପତି, କୋରାପୁଟ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ତେବେ ଏହି କାଳବୈଶାଖୀ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ସେପରି କୌଣସି ପ୍ରଭାବ ପଡ଼ିବ ନାହିଁ। ଗ୍ରୀଷ୍ମ ପବ୍ରାହ ବଢ଼ିବ, ତାପମାତ୍ରା ୪୦ କିମ୍ବା ତଦୂର୍ଦ୍ଧ୍ବ ରହିବ।

ପାଣିପାଗ‌‌ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ଆଜି ରାଜ୍ୟର ୧୦ଟି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ଟି ଜିଲ୍ଲାରେ ପାରଦ ୪୧ ଅତିକ୍ରମ କରିଥିଲା। ସର୍ବୋଚ୍ଚ ତାପମାତ୍ରା ବଲାଙ୍ଗୀରଠାରେ ୪୧.୭ ଡିଗ୍ରି ରେକର୍ଡ କରାଯାଇଛି। ଏହା ପଛକୁ ରହିଥିବା ବୌଦ୍ଧ, ଟିଟିଲାଗଡ଼ ଓ ଅନୁଗୁଳରେ ଯଥାକ୍ରମେ ୪୧.୬, ୪୧.୫ ଓ ୪୧.୩ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ତାଳଚେର, ନୟାଗଡ଼, ସୋନପୁର, ମାଲକାନଗିରି, ଝାରସୁଗୁଡ଼ା, ଭବାନୀପାଟଣା ଆଦି ସ୍ଥାନରେ ପାରଦ ୪୦ ଉପରେ ରହିଥିଲା। ତେବେ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପାରାଦୀପ, ଗୋପାଳପୁର ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳର ତାପମାତ୍ରା ଅପେକ୍ଷାକୃତ କମିଛି।

ସମ୍ବନ୍ଧିତ ଖବର