୨୧ରେ ବଡ଼ ଧରଣର କାଳବୈଶାଖୀ ଆଶଙ୍କା; ରାଜ୍ୟରେ ପାରଦ ଖସିଲା, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ପରଠାରୁ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ରାଜ୍ୟର ଦୁଇଟି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସବୁଆଡ଼େ ପାରଦ ଖସିଛି। ଆସନ୍ତା ୨୨ ତାରିଖ ଯାଏ ଏହି ସ୍ଥିତି ଜାରି ରହିବ। ଏହି ସମୟରେ ପବନର ବେଗ ବଢ଼ିବ। ୨୧ ତାରିଖ ରାଜ୍ୟର ଅନେକ ଜିଲ୍ଲାରେ ପବନ ସହ ବଡ଼ ଧରଣର କାଳବୈଶାଖୀ ବର୍ଷା ହେବ। ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୨୦ ଓ ୨୨ ତାରିଖରେ ମଧ୍ୟ ରାଜ୍ୟରେ ଝଡ଼ତୋଫାନ ସହ କାଳବୈଶାଖୀ ବର୍ଷା ହେବ। ଏଣୁ କେନ୍ଦ୍ର ପକ୍ଷରୁ ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ସୋମବାର ଦିନ ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୨୧ ତାରିଖ ଦିନ ପବନର ବେଗ ବଢ଼ିବ। ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କନ୍ଧମାଳ, ବଲାଙ୍ଗୀର ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ‌ପୁଣି ସେହିଦିନ ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ରାୟଗଡ଼ା, ଗଜପତି, ଗଞ୍ଜମ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା‌ ହେବ। ଏଣୁ ୨୧ ତାରିଖ ପାଇଁ ଏହି ସବୁ ଜିଲ୍ଲାଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯା‌ଇଛି। ୨୨ ତାରିଖ ଦିନ ପବନର ବେଗ କମିବ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗ‌ରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବ। ଏହି ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ୨୩ ତାରିଖ ଦିନ ପାଗ ଶୁଖିଲା ରହିବ।

ଦୀର୍ଘ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆ‌ଜି ରାଜ୍ୟର ତାପମାତ୍ରା କମିଛି। ତାଳଚେର ଓ ଫୁଲବାଣୀରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ବାକି ଅଞ୍ଚଳର ତାପମାତ୍ରା ୩୭ ଡିଗ୍ରି ପାଖାପାଖି କିମ୍ବା ଏହା ତଳକୁ ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ବଢ଼ିବାର ସମ୍ଭାବନା ନାହିଁ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା ବଢ଼ିବ କିମ୍ବା ୪୦ ଡିଗ୍ରି ଉପରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ସମେତ ଏହାର ପାଖାପାଖି ଅଞ୍ଚଳ‌ରେ ଆକାଶ ଆଂଶିକ ମେଘୁଆ ରହିବ ଓ ସଂଧ୍ୟା ବେଳକୁ ଝଡ଼ବର୍ଷା ହୋଇପାରେ। ଏହି ସମୟରେ ଏହି ସବୁ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରାରେ ବିରାଟ ପରିବର୍ତ୍ତନ ହେବ। ରାତ୍ରି ସମୟ‌ର ତାପମାତ୍ରା ୨୨ ଡିଗ୍ରିକୁ ଖସିବ।

ସମ୍ବନ୍ଧିତ ଖବର