କାଳବୈଶାଖୀ ଆଶଙ୍କା : ଅରେଞ୍ଜ ୱାର୍ଣ୍ଣିଂ ଜାରି, ସତର୍କ ରହିବାକୁ ଜିଲ୍ଲାଗୁଡ଼ିକୁ ପରାମର୍ଶ

୨୯ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ!

ଭୁବନେଶ୍ବର : ମଙ୍ଗଳବାର ସକାଳ ଖରାରୁ ଆରମ୍ଭ ହେବ। କିନ୍ତୁ ଅପରାହ୍‌ଣରେ ପାଗ ବଦଳିଯିବ। କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି ସ୍ଥାନରେ ପବନର ବେଗ ୬୦ ବି ଛୁଇଁବ। ବିଜୁଳି, ଘଡ଼ଘଡ଼ିର ପ୍ରକୋପ ଦେଖିବାକୁ ମିଳିବ। କିଛି ସ୍ଥାନରେ କୁଆପଥର ମାଡ଼ର ବି ଆଶଙ୍କା ଅଛି।

ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାର ତାଣ୍ଡବ ରଚାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏଥି ପାଇଁ କେନ୍ଦ୍ର ପକ୍ଷରୁ ସବୁ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀର ପ୍ରଭାବ ୮ଟି ଜିଲ୍ଲାରେ ସର୍ବାଧିକ ଅନୁଭୂତ ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ। ଏସବୁ ସ୍ଥାନରେ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ହେବ। ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ, ନୟାଗଡ଼, ଖୋର୍ଧା, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି।

୨୨ ତାରିଖରେ ବି କାଳ‌ବୈଶାଖୀ ପ୍ରଭାବରୁ ମୁକ୍ତି ମିଳିବନି। ତେବେ ସେଦିନ ପୂରା‌ ଓଡ଼ିଶା ନୁହେଁ, ନିର୍ଦ୍ଦିଷ୍ଟ ଭାବେ ୭ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଗଞ୍ଜାମ, କନ୍ଧମାଳ, କୋରାପୁଟ। ୨୩ ତାରିଖରେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ଓ ୨୪ ତାରିଖ ଆଡ଼କୁ ପୁଣି କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଓଡ଼ିଶାରେ  ଲଗାତାର ଭାବେ କାଳବୈଶାଖୀ ହେବାର ପୂର୍ବାନୁମାନ କରାଯାଉ ବେଳେ ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହା ଜଣାପଡ଼ିବ ବୋଲି କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତାକାଲିଠାରୁ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରାରେ ଗୋଟିଏ ଡିଗ୍ରି କମିବ ଓ ମାସ ଶେଷ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। କିନ୍ତୁ୨୫ ଓ ୨୬ ତାରିଖରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୮ ଓ ୨୯ ତାରିଖରେ ରାଜ୍ୟର ଅନ୍ୟ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଯେଉଁଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, ତାହା ଦକ୍ଷିଣ ମିଆଁମାର ଉପକୂଳ ଓ ତତ୍‌ସଂଲଗ୍ନ ଥାଇଲାଣ୍ଡ ଆଡ଼କୁ ମୁହାଁଇ ପାରେ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ତାର ଗତିବିଧି ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ମେ’ ପ୍ରଥମ ସପ୍ତାହ ବେଳକୁ ଦେଶର ପୂର୍ବ ଉପକୂଳ ଓ ସଂଲଗ୍ନ ବଙ୍ଗୋପସାଗରରେ ପାଗ ମେଘୁଆ ରହିବା ସହ ତାପମାତ୍ରା କମ୍‌ ରହିବ।

ସମ୍ବନ୍ଧିତ ଖବର