ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗି ରହିବ। ଓଡ଼ିଶାରେ କିନ୍ତୁ ଲଘୁଚାପ ବର୍ଷା ହେବାର ସମ୍ଭାବନା ନାହିଁ। ମେ’ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଗରମ ଅନୁଭୂତ ହେବ ନାହିଁ। ଏହି ସମୟରେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ଛାଡ଼ି ଦେଲେ ଅନ୍ୟ ସବୁ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ତଳକୁ ହିଁ ରହିବ। ବାୟୁମଣ୍ଡଳରେ ଅସ୍ଥିରତା ଯୋଗୁଁ ରାଜ୍ୟରେ ଅଧିକାଂଶ ସମୟ କାଳବୈଶାଖୀ ବର୍ଷା ଲାଗିରହିବ। ଏଣୁ ତାପମାତ୍ରା ବି କମ୍‌ ରହିବ ବୋଲି ପାଣିପାଗ ବିଶେଷଜ୍ଞମ‌ାନେ ଅନୁମାନ କରୁଛନ୍ତି।

Advertisment

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ, ଆସନ୍ତା ୩ ତାରିଖଠାରୁ ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଓଡ଼ିଶାରେ ସୀମିତ ରହିବ। ୪ ତାରିଖଠାରୁ ଏହା ଦକ୍ଷିଣ ଓଡ଼ିଶା ସହ ସମଗ୍ର ଉପକୂଳରେ ପ୍ରବାହିତ ହେବ। ଆକଳନ କରାଯାଉଛି, ମେ’ ମାସର ପ୍ରଥମ ସପ୍ତାହରେ ଏହି ବର୍ଷା ଉତ୍ତର ଉପକୂଳରେ ଅପେକ୍ଷାକୃତ ଅଧିକ ରହିବ। ଦ୍ବିତୀୟ ସପ୍ତାହରେ ଏହା ସାରା ରାଜ୍ୟକୁ ପ୍ରଭାବିତ କରିବ। ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ମେ’ ପ୍ରଥମ ସପ୍ତାହରେ ତାପମାତ୍ରା କିଛି କମ୍‌ ରହିବ। ଅଳ୍ପ କିଛି ସ୍ଥାନରେ ୪୦ ଡିଗ୍ରିରୁ ଅଧିକ ରହିବ। ଦ୍ବିତୀୟ ସପ୍ତାହରେ ବିଶେଷ କରି ୯ ତାରିଖଠାରୁ ସ୍ବ‌‌ାଭାବିକ ତାପମାତ୍ରା ପୁଣି କମିବ। ଭୁବନେଶ୍ବରରେ ମେ’ ୧୫ ପର୍ଯ୍ୟନ୍ତ ତାପମାତ୍ରା ୩୭ରୁ ୩୮ ଡିଗ୍ରି ତଳେ ରହିବ ବୋଲି ଶ୍ରୀ ପଶୁପାଳକ କହିଛନ୍ତି।

ଆଜି ସକାଳେ ସୁମାତ୍ରା ଦ୍ବୀପର ଉତ୍ତରରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧ ତାରିଖରେ ଲଘୁଚାପ, ୨ ତାରିଖରେ ୱେଲ୍‌ ମାର୍କଡ୍ ଲଘୁଚାପ, ୪ ତାରିଖରେ ଅବପାତ ଓ ୫ରେ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେବ। ୬ ତାରିଖ ରାତିରେ ମିଆଁମାର ଉପକୂଳ ସ୍ପର୍ଶ କରିପାରେ। ଡିପ୍‌ ଡିପ୍ରେସନ୍‌ ପରେ ବାତ୍ୟା ହେବ କି ନାହିଁ ବର୍ତ୍ତମାନ ସ୍ପଷ୍ଟ ଆକଳନ କରାଯାଇ ପାରୁନାହିଁ। ତେବେ ଜଣାପଡ଼ୁଛି ଯେ, ଏହାର ବିସ୍ତୃତି କମ୍‌ ରହିବ ଏହାସହ ଏହାର ତୀବ୍ରତା ମଧ୍ୟ ବିଶେଷ ରହିବ ନାହିଁ। ଅର୍ଥାତ୍‌ ଏହା ଅପେକ୍ଷାକୃତ ଦୁର୍ବଳ ରହିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ପ୍ରାୟ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏଥିପାଇଁ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ‌କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, ନୟାଗଡ଼, ଗଞ୍ଜାମ, କନ୍ଧମାଳ ଓ ଖୋର୍ଧା ଆଦି ଜିଲ୍ଲାରେ ଖୁବ୍‌ ଜୋର୍‌ରେ ପବନ ‌ବହିବ ଓ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ୨ ତାରିଖ ଦିନ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମା‌ଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ଗଞ୍ଜାମ ଏବଂ ୩ ତାରିଖ ଦିନ ଉପକୂଳ ଜିଲ୍ଲାଗୁଡ଼ିକ ସମେତ କନ୍ଧମାଳ, କେନ୍ଦୁଝର ଓ ‌ମୟୂରଭଞ୍ଜ ଆଦି ଜିଲ୍ଲ‌ାରେ କାଳବୈଶାଖୀ ବର୍ଷା ହେବ। ୪ ତାରିଖ ଦିନ ପବନର ବେଗ ବଢ଼ିବ। ଘଣ୍ଟାପ୍ରତି ୩୦ରୁ ୪୦ କିମି ପବନ ସହ ବଲାଙ୍ଗୀର, ସୋନପୁର, କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋର୍ଧା, ଅନୁଗୁଳ, ଢେଙ୍କାନ‌ାଳ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା‌ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।