ଭୁବନେଶ୍ବର : ଆସନ୍ତା ୫ ତାରିଖରେ ବଡ଼ଧରଣର କାଳବୈଶାଖୀ ଆଶଙ୍କା ରହିଛି। ବିଜୁଳି, ଘଡ଼ଘଡ଼ି ଓ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନ‌େ କୁଆପଥର ବର୍ଷା ମଧ୍ୟ ହେବ। ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ପର୍ଯ୍ୟନ୍ତ ରହିବ।

Advertisment

ଉତ୍ତର-ଉପକୂଳ ଓଡ଼ିଶା ସମେତ ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଯାଜପୁର, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହାର ପ୍ରଭାବ ଦେଖାଯିବ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ଜୋର୍‌ରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ଏହିସବୁ ଜିଲ୍ଲାରେ କେନ୍ଦ୍ର ପକ୍ଷରୁ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ସେହିଦିନ ଓଡ଼ିଶାର ବାକି ସବୁ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହୋଇପାରେ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହାର ବିତ୍ପାତ ଅନୁଭୂତ ହେବ। ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ପବନର ବେଗ ବଢ଼ିବ। ଆସନ୍ତାକାଲି ପବନର ବେଗ ଅଧିକ ରହିବ। ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦିନ ପାଇଁ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୬ ତାରିଖ ଦିନ ବି ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ବିଜୁଳି, ଘଡ଼ଘଡ଼ି ସହ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କୋରାପୁଟ ଓ କନ୍ଧମାଳରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ। ସେହିପରି ୭ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ଢେଙ୍କାନାଳ, ରାୟଗଡ଼ା ଓ ଅନୁଗୁଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ୬ ଓ ୭ ତାରିଖ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷରେ କିଛି ଦିନର ବିରତି ପରେ ପୁଣି ରାଜ୍ୟର ତାପମାତ୍ରା ବଢ଼ିଛି। ଆଜି ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଟିଟିଲାଗଡ଼ର ତାପମାତ୍ରା ଆଜି ୪୨ ଡିଗ୍ରିରେ ପହଞ୍ଚିଛି ଓ ରାଜ୍ୟର ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି। ଏଥିସହ ତାଳଚେର, ବଲାଙ୍ଗୀର ଓ ମାଲକାନଗିରିର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାର କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ତାପମା‌ତ୍ରା ଅପରିବର୍ତ୍ତିତ ରହିବ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ତଥା ଏହା ପାଖାପାଖି ଅଞ୍ଚଳରେ ଆକାଶ ଆଂଶିକ ମେଘୁଆ ରହିବ। ଉପରବେଳା ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ରହିବ।