‌ରଥଯାତ୍ରାରେ ବାଧକ ସାଜିବନି ବର୍ଷା

ଭୁବନେଶ୍ବର : ମହାପ୍ରଭୁଙ୍କ ରଥଯାତ୍ରାରେ ବାଧକ ସାଜିବନି ବର୍ଷା। ଆସନ୍ତାକାଲି ପୁରୀର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। କିନ୍ତୁ ବର୍ଷା ହେବାର ସମ୍ଭାବନା କ୍ଷୀଣ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି‌ଦେଲେ ବାକି ଅଞ୍ଚଳରେ କାଁ ଭାଁ ବର୍ଷା ହେବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ।

କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି। ଗତ ଦୁଇ ଦିନ ହେଲା ରାଜ୍ୟର କିଛି କିଛି ଅଞ୍ଚଳ‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଯାହା ସମୁଦ୍ର ପତ୍ତନଠାରୁ ୦.୯ କିମି ରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହାଛଡ଼ା ମୌସୁମୀ ସହ ଜଡ଼ିତ ଟ୍ରଫ୍‌ ଲାଇନ୍ ଉତ୍ତର ପଞ୍ଜାବଠାରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ହରିୟାଣା, ଦକ୍ଷିଣ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପକୂଳ ମଧ୍ୟ ଦେଇ ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ଯ୍ୟନ୍ତ ଲମ୍ବିଛି। ଏହି ଟ୍ରଫ୍‌ ଲାଇନ୍‌ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ନବରଙ୍ଗପୁର, ବରଗଡ଼, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବ‌େ ଉପକୂଳ ଅଞ୍ଚଳରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଦିନ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Met Weather

‌ସେହିପରି ୨୫ ଓ ୨୬ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାକୁ ଥିବାରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅପରପେକ୍ଷ କେନ୍ଦ୍ରର ସୂଚନା ଅନୁଯାୟୀ, ଜୁନ୍‌ ୧ରୁ ୨୨ମଧ୍ୟରେ ଓଡ଼ିଶାରେ ୧୯୫.୦ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଏହି ସମୟ ପରିଧି ମଧ୍ୟରେ ସ୍ୱାଭାବିକ ବର୍ଷା ୧୩୭.୦ ମିମିଠାରୁ ୪୨ ପ୍ରତିଶତ ଅଧିକ। ୨୨ ଜୁନ ସୁଦ୍ଧା କେନ୍ଦ୍ରାପଡ଼ା, ଯାଜପୁର ଓ ଖୋର୍ଧା ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ କମ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେରେ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା ଜିଲ୍ଲାର କୋମନାଠାରେ ସର୍ବାଧିକ ୧୮୪.୦ ମିମି ବର୍ଷା ରେକର୍ଡ ହୋଇଛି। ଏହାଛଡ଼ା ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ସ୍ଥାନରେ ଅତି ପ୍ରବଳ ୧୧୫.୬ ମିମିରୁ ୨୦୪.୪ ମିମି ଏବଂ ୧୬ଟି ସ୍ଥାନରେ ପ୍ରବଳ ବର୍ଷା ୬୪.୫ ମିମି ରୁ ୧୧୫.୫ ମିମି ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର