ମୌସୁମୀ ଦୁର୍ବଳ ପରେ ବଦଳୁଛି ପାଣିପାଗ : ତାତିଠୁ ଅଧିକ ଗରମ ଲାଗୁଛି

ଭୁବନେଶ୍ବର : ପାହାନ୍ତା ସାଢ଼େ ୫ଟାରେ ଏମିତି ଲାଗୁଛି ଯେମିତି ଦିନ ୧୦ଟା ବାଜିଲାଣି। ଦିନରେ ଖରାର ପ୍ରକୋପ ଏତେ ଯେ ବର୍ଷା ଋତୁ ବି ଗ୍ରୀଷ୍ମଋତୁ ଭଳି ଲାଗିଲାଣି। ଗତ ୩ଦିନ ହେଲା ଏମିତି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ ହୋଇଯିବା ଓ ତାପମାତ୍ରା ବଢ଼ିବା ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ବି ବିସ୍ମିତ କରୁଛି। ଏହି ସମୟରେ ରାଜ୍ୟର ସ୍ବାଭାବିକ ତାପମାତ୍ରା ୩୨/୩୩ ଡିଗ୍ରି ରହିବା କଥା। ହେଲେ ୩୫ରୁ ୩୬ଡିଗ୍ରି ଭିତରେ ରହୁଥିବା ବେଳେ କିଛି ସ୍ଥାନରେ ୩୭ ଡିଗ୍ରି ଛୁଇଁ ଯାଉଛି।

ପାଣିପାଗର ଏଭଳି ପରିବର୍ତନ ସଂପର୍କରେ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଥରେ ମୌସୁମୀ ବାୟୁ ସକ୍ରିୟ ହେଲେ ଏହା ପ୍ରଭାବରେ ହେଉଥିବା ବର୍ଷା ହେତୁ ତାପମାତ୍ରା କମିଥାଏ। କିନ୍ତୁ ଯେତେବେଳେ ବର୍ଷା ଛାଡ଼ିଯାଏ, ମୌସୁମୀ ଦୁର୍ବଳ ହୁଏ, ସେତେବେଳେ ପୁଣି ପ୍ରତ୍ୟକ୍ଷ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡ଼େ। ଯାହା ଦ୍ବାରା ତାପମାତ୍ରା ବଢ଼ିଥାଏ। ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧି ହେତୁ ବାୟୁମଣ୍ଡଳର ଜଳୀୟକଣା ଅତ୍ୟଧିକ ତାପ ଧରି ରଖୁଛି (ଲ୍ୟାଟେଣ୍ଟ୍‌ ହିଟ୍‌ କୁହାଯାଏ) । ଏଣୁ ଅତ୍ୟଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏପରିକି ତାପମାତ୍ରା ଅପେକ୍ଷା ୭ରୁ ୮ ଡିଗ୍ରି ଅଧିକ ଗରମ ଥିବା ଭଳି ଅନୁଭବ ହେଉଛି। ଏହାବ୍ୟତୀତ ବର୍ତ୍ତମାନ ସମୟରେ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ନାହିଁ। ଖଣ୍ଡ ଖଣ୍ଡ ଧଳା ମେଘ ଘୂରିବୁଲୁଛି। ଏହି ମେଘ ଖଣ୍ଡ ସବୁ ନମ୍ନ ଓ ମଧ୍ୟ ବାୟୁମଣ୍ଡଳରେ ଥିବାରୁ ପୃଥିବୀ ପୃଷ୍ଠରୁ ବିକିରଣ ହେଉଥିବା ତାପମାତ୍ରାକୁ ବାହାର ଆକାଶକୁ ବା ବାୟୁମଣ୍ଡଳକୁ ‌ଯିବାରେ ବାଧା ସୃଷ୍ଟି କରୁଛି। ଫଳରେ ରାତିର ତାପମାତ୍ରା ବଢ଼ିବା ସହ ଦିନର ତାପମାତ୍ରା ମଧ୍ୟ ବଢୁଛି।

MetWeather

ଡ. ପଶୁପାଳକ କହିଛନ୍ତି, ଆମେରିକାର କିଛି ବୈଜ୍ଞାନିକ ଏଭଳି ସ୍ଥିତି ସଂପର୍କରେ ଅନୁଶୀଳନ କରି ନିକଟରେ ଦର୍ଶାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଆକାଶରେ ଅପେକ୍ଷାକୃତ ଅଧିକ ମେଘ ସୃଷ୍ଟି ହେଉଛି। ଯାହାକି ତାପମାତ୍ର‌ା ବଢ଼ିବାର ଅନ୍ୟ ଏକ କାରଣ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୭ ଓ ୨୮ ତାରିଖରେ ରାଜ୍ୟରେ ବର୍ଷା ହୋଇପାରେ। ଏଯାଏଁ ଅଧିକ ବର୍ଷା ହୋଇଥିବା ସ୍ଥାନରେ ୨୭ ଓ ୨୮ରେ ବି ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଝା‌ରସୁଗୁଡ଼ା, ସୁନ୍ଦରଗଡ଼ ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାରାହାରି ୭୦ ମିମି, ଦକ୍ଷିଣ ଓଡ଼ିଶାରେ ହାରାହାରି ୫୦ ମିମି ଓ ଉପକୂଳ ଓଡ଼ିଶାରେ ୩୦ ମିମି ବର୍ଷା ହେବ। ଅନ୍ୟପକ୍ଷେ ୩ ତାରିଖଠାରୁ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର