ରାଜ୍ୟରେ ମୌସୁମୀ ଉଭାନ, ବର୍ତ୍ତମାନ ସୁଦ୍ଧା ୧୪% ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ଉଭାନ ହୋଇ ଯାଇଥିବାରୁ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଜୁଲାଇ ୩୦ ସୁଦ୍ଧା ୧୪% ନିଅଣ୍ଟିଆ ବର୍ଷା ହୋଇଯାଇଛି। ଆଗକୁ ବି ଏହି ସ୍ଥିତି ଲାଗି ରହିବ ଓ ଅଗଷ୍ଟ ୫ ସୁଦ୍ଧା ରାଜ୍ୟରେ ୨୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଯାଇଥିବ ବୋଲି ପାଣିପାଗ ବି‌ଶେଷଜ୍ଞମାନେ ମତ ରଖିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ୧ ଜୁନ୍‌ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ରାଜ୍ୟରେ ୪୭୪.୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ବାଭାବିକ ଭାବେ ଏହି ସମୟରେ ୫୫୧.୧ ମିମି ବର୍ଷା ହୋଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪% ନିଅଣ୍ଟିଆ ବର୍ଷା ରେକର୍ଡ କରାଗଲାଣି। ଆଗକୁ ବି ଏହି ପରିସ୍ଥିତି ଲାଗି ରହିବ ଓ ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ଭଲ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି।

ମୌସୁମୀ ଟ୍ରଫ୍ ଲାଇନ୍‌ ଏବେ ବି ଉତ୍ତର ଆଡ଼କୁ ଗତି କରୁଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। ଆଗକୁ ୨/୩ ଦିନ ରାଜ୍ୟରେ ବର୍ଷା କମ୍‌ ହେବ। କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତାକାଲି ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ନୟାଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ ଓ କଟକ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଅଗଷ୍ଟ ପହିଲାରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏ ସବୁ ସ୍ଥାନ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ଭୁବ‌ନରେ ୪୮.୦ ମିମି ହୋଇଯାଇଛି। କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ବର୍ଷା ହୋଇନାହିଁ। ପାଗ ଶୁଖିଲା ଓ ଖରାଟିଆ ରହିଥିଲା।

ସମ୍ବନ୍ଧିତ ଖବର