ଅଗଷ୍ଟରେ ୨୭% ଅଧିକ ବର୍ଷା, ଖୋର୍ଧା ଓ ବାଲେଶ୍ୱର ଜିଲ୍ଲାର ଅଭାବୀ ବର୍ଷା ସ୍ଥିତି ଭରଣା କରିବ ୨୪ ତାରିଖ ଲଘୁଚାପ

ଭୁବନେଶ୍ୱର : ଅଗଷ୍ଟ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍‌ ୪ଟି ଲଘୁଚାପ ବର୍ଷା ହୋଇସାରିଥିବା ବେଳେ ଜୁଲାଇର ନିଅଣ୍ଟିଆ ବର୍ଷା ପରିସ୍ଥିତିକୁ ଭରଣା କରିବାରେ ସକ୍ଷମ ହୋଇଛି। ଜୁଲାଇ ମାସରେ ରାଜ୍ୟରେ ୧୩ ଜିଲ୍ଲାରେ ସୃଷ୍ଟି ହୋଇଥିବା ଅଭାବୀ ବର୍ଷା ପରିସ୍ଥିତି ଅଗଷ୍ଟରେ ଭରଣା ହୋଇପାରିଥିବା ବେଳେ କେବଳ ଖୋର୍ଧା ଓ ବାଲେଶ୍ବରରେ ଏବେ ବି ୨୦% ଅଧିକ ନିଅଣ୍ଟିଆ ବର୍ଷା ସ୍ଥିତି ବଜାୟ ରହିଛି। ତେବେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଲଘୁଚାପ ବର୍ଷା ଏହାର ଭରଣା କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଜୁନ୍‌ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ‌ରେ ସର୍ବମୋଟ ୮୨୨.୬ମିମି ବର୍ଷା ହୋଇଥିବା ବେଳେ ସ୍ବା‌ଭାବିକ ଭାବେ ଏହି ସମୟରେ ୮୩୬ ମିମି ବର୍ଷା ହୋଇଥାଏ। ବାଲେଶ୍ବର ଓ ଖୋର୍ଧା ଏବେ ବି ନିଅଣ୍ଟିଆ ବର୍ଷା ଜିଲ୍ଲା ତାଲିକାରେ ରହିଥିବା ବେଳେ ବାଲେଶ୍ବରରେ ୨୪% ନିଅଣ୍ଟିଆ ବର୍ଷା ଓ ଖୋର୍ଧାରେ ୨୮% ନିଅଣ୍ଟିଆ ବର୍ଷା ହୋଇଛି। ମାଲକାନଗିରିରେ ସ୍ବାଭାବିକଠାରୁ ୫୬% ଅତିରିକ୍ତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

The Indian Express

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଅଗଷ୍ଟ ପହିଲାରୁ ୨୨ ଅଗଷ୍ଟ ଯାଏଁ ରାଜ୍ୟରେ ସମୁଦାୟ ୩୪୬.୭ମିମି ବର୍ଷା ହୋଇଥିବା ‌ବେଳେ ଏହି ସମୟରେ ସ୍ବାଭାବିକ ଭାବେ ୨୭୩.୯ ମିମି ବର୍ଷା ହୋଇଥାଏ। ଅର୍ଥାତ ଚଳିତ ଅଗଷ୍ଟରେ ରାଜ୍ୟରେ ୨୭% ଅତିରିକ୍ତ ବର୍ଷା ହୋଇଛି। ଅଗଷ୍ଟ ୪, ୯, ୧୩ ଓ ୧୯ ତାରିଖରେ ପର୍ଯ୍ୟାୟ କ୍ରମେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଫଳରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିଥିଲା। ଫଳରେ ଜୁଲାଇରେ ହୋଇଥିବା ୩୦-୩୫% ନିଅଣ୍ଟିଆ ବର୍ଷାର ପରିସ୍ଥିତି ଏହି ୪ଟି ଲଘୁଚାପ ବର୍ଷା ଭରଣା କରିପାରିଛି। ଅଗଷ୍ଟର ବର୍ଷା ସ୍ଥିତିକୁ ଅନୁମାନ କଲେ ଜଣାପଡ଼ୁଛି, ଚଳିତ ମା‌ସରେ ଗଜପତି ଓ ନୂଆପଡ଼ାରେ ହିଁ ବର୍ଷାର ପରିମାଣ କମ୍‌ ରହିଛି। ବାକି କିଛି ସ୍ଥାନରେ ସ୍ବାଭାବିକ ଓ ଅଧିକାଂଶ ସ୍ଥାନରେ ପ୍ରଚୁର ପରିମାଣରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଭଦ୍ରକ, କଟକ, ମାଲକାନଗିରି, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଅଗଷ୍ଟ ମାସରେ ୬୦%ରୁ ଅଧିକ ଅତିରିକ୍ତ ବର୍ଷା ହୋଇଯାଇଛି। 

୨୪ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ବର୍ତ୍ତମାନ ମୌସୁମୀ ଟ୍ରଫ୍ ଲାଇନ୍‌ ନିଜର ପାରମ୍ପରିକ ସ୍ଥାନରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥ‌ାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ କମ୍‌ ରହିବ। ୨୩ ତାରିଖ ଦିନ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର କିଛି କିଛି ସ୍ଥାନେ ଭାରି ବର୍ଷା ହୋଇପାରେ। ଏହାପରେ ୨୪ ତାରିଖ ଆଡ଼କୁ ବର୍ଷାର ପରିମାଣ ଧିରେଧିରେ ବଢ଼ିବ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିଂକାଶ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷ‌ା ହୋଇଯାଇଛି। ଏଥିସହ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲା ତେଲଖାଇରେ ସର୍ବାଧିକ ୧୨୦ ମିମି, ଢେଙ୍କାନାଳ ଜିଲ୍ଲା ପାଲଲହରାରେ ୫୩.୧ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧିତ ଖବର