ମୌସୁମୀ ଦୁର୍ବଳ, କାଁ ଭାଁ ବର୍ଷା, ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିଛି। ମୌସୁମୀ ଟ୍ରଫ୍‌ ଲାଇନ୍‌ ବିକାନେର୍‌, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷିଣ ଆସାମ ଆଡ଼କୁ ଗତି କରୁଛି। ଫଳରେ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପଶ୍ଚିମବଙ୍ଗ ଓ ଝାରଖଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଛତିଶଗଡ଼ ଉପରେ ରହିଛି। ଏହା ପ୍ରଭାବରେ ଏବେ ଓଡ଼ିଶା ଉପରେ ମୌସୁମୀର ପ୍ରଭାବ ଅଧିକ ଶକ୍ତିଶାଳୀ ନାହିଁ। ଫଳରେ ରାଜ୍ୟରେ ଏବେ ହାଲ୍‌କାରୁ ମଧ୍ୟମ ଧରଣର ହିଁ ବର୍ଷା ହେବ। ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ‌ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିବ। କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସଙ୍କ ସୂଚନାନୁଯାୟୀ, ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବ ଓ ରାଜ୍ୟର ବାକି ଅଞ୍ଚଳରେ କାଁଭାଁ ବର୍ଷା ହୋଇପାରେ। ୩, ୪ ଓ ୫ ତାରିଖରେ ଏହିଭଳି ଭାବେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ରାଜ୍ୟର ବାକି ସ୍ଥାନରେ ବେଶି ବର୍ଷାର ସମ୍ଭାବନା ନାହିଁ। କଟକ ଓ ଭୁବନେଶ୍ବରରେ ଏହି ୩ ଦିନରେ ପାଗ ଆଂଶିକ ମେଘୁଆ ରହିବ। କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବ‌‌ର୍ଷା ହୋଇପାରେ।

ଗତ ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଏଥିସହ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବି ବର୍ଷା ହୋଇଛି। ଝାରସୁଗୁଡ଼ା ଲକ୍ଷ୍ମଣପୁରରେ ସର୍ବାଧିକ ୮୫.୬ ମିମି ବର୍ଷା ହୋଇଯାଇଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ୭୦.୬ ମିମି ବର୍ଷା ରେକର୍ଡ ହୋଇଛି। ୧ ଜୁନ୍‌ରୁ ୩ ସେପ୍ଟେମ୍ବର ଯାଏଁ ରାଜ୍ୟରେ ୧୦୧୧.୪ ମିମି ବର୍ଷା ହୋଇଯାଇଥିବା ବେଳେ ସ୍ବାଭାବିକ ଭାବେ ଏହି ସମୟରେ ୯୫୩.୬ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏବେ ୬% ଅତିରିକ୍ତ ବର୍ଷା ରେକର୍ଡ ହୋଇଛି। ଏ ପର୍ଯ୍ୟନ୍ତ ରାଜ୍ୟର ୯ ଜିଲ୍ଲା ଯଥା ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ମାଲକାନଗିରି, ବରଗଡ଼, ବୌଦ୍ଧ ଓ ଭଦ୍ରକରେ ଅତିରିକ୍ତ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ସ୍ବାଭାବିକ ଓ ୨ ଜିଲ୍ଲା ଯଥା ଖୋର୍ଧା‌ ଓ ଗଜପତିରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର