ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ

ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ସମୀକ୍ଷା

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା‌ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ଆସନ୍ତାକାଲି ଏହା ଲଘୁଚାପର ରୂପ ନେବ। ଏହା ପ୍ରଭାବରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଓ ଗଜପତି ଭଳି ଦକ୍ଷିଣ ସୀମାନ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଦୁର୍ବଳ ମୌସୁମୀ ପାଇଁ ରାଜ୍ୟର ବାକି ଅଞ୍ଚଳ ଶୁଖିଲା ଓ ଖରାଟିଆ ରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର୍‌ ବିଶ୍ବାସ ସୂଚନା ଦେଇଛନ୍ତି।

ଶ୍ରୀ ବିଶ୍ବାସଙ୍କ ସୂଚନାନୁଯାୟୀ, ୧୪ ତାରିଖ ଦିନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶ‌ାରେ ବିଶେଷ ବର୍ଷାର ସମ୍ଭାବନା ରହିଛି। ବାକି ସ୍ଥାନରେ ବର୍ଷା କମ୍‌ ରହିବ। ‌କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ଏହିଦିନ ମଧ୍ୟ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। କିନ୍ତୁ ୧୩ ତାରିଖଠାରୁ ବର୍ଷାର ପରିମାଣ କମ୍‌ ରହିବ। ୧୫ ଓ ୧୬ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ମୁତାବକ, ୧୩ ତାରିଖ ବଦଳରେ ୧୪ ତାରିଖ ଦିନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। କିନ୍ତୁ ଏହା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ତାଙ୍କ ଆକଳନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ। ଅଧିକାଂଶ ସ୍ଥାନରେ ପାଗ ଖରାଟିଆ ରହିବା ସହ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ତେବେ ତାପମାତ୍ରା ଅଧିକ ରହିବା ସହ ଆର୍ଦ୍ରତା ଅଧିକ ହେତୁ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ବର୍ଷା ହୋଇପାରେ। ତଥାପି ଆସନ୍ତା ସପ୍ତାହର ବର୍ଷା ସ୍ବାଭାବିକଠାରୁ ୪୦ରୁ ୫୦% କମ୍‌ ରହିବ। ରାଜ୍ୟରେ ସେପ୍ଟେମ୍ବର ୧୨ତାରିଖ ସୁଦ୍ଧା ମାତ୍ର ୫୩ ମିମି ବର୍ଷା ହୋଇଛି। ଯାହାକି ସ୍ବାଭାବିକଠାରୁ ୪୫% କମ୍‌ ବୋଲି ସେ କହିଛନ୍ତି।

ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାର କୋସାଗୁମ୍‌ଡ଼ାରେ ସର୍ବାଧିକ ୮୯.୦ ମିମି ବର୍ଷା ରେକର୍ଡ ହୋଇଛି। ଦେବଗଡ଼ ରିଆମାଳରେ ୫୬.୦ ମିମି, ନବରଙ୍ଗପୁର ଜିଲ୍ଲା ରାଇଘରରେ ୫୫.୦ ମିମି, ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୪୬.୦ମିମି ଓ କନ୍ଧମାଳ ଦାରିଙ୍ଗବାଡ଼ିରେ ୩୬.୦ମିମି ଲେଖାଏଁ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ଭାବ୍ୟ ବନ୍ୟାର ମୁକାବିଲା ନେଇ ସମୀକ୍ଷା
ଭୁବନେଶ୍ୱର : ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଲେ କିପରି ଦୃଢ଼ାତାର ସହ ମୁକାବିଲା କରାଯିବ ସେଥିପାଇଁ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ୍‌ ସମୀକ୍ଷା କରିଛନ୍ତି। ନବରଙ୍ଗୁପୁର ଜିଲ୍ଲାର ଅପର ଇନ୍ଦ୍ରାବତୀ, କୋରାପୁଟ ଜିଲ୍ଲାର ଅପର୍‌ କୋଲାବ୍‌ ଓ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳ ଭଣ୍ଡାରଗୁଡ଼ିକରେ ଜଳ ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଭାବିତ ହେବ। ଏ ନେଇ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଦିଆଯାଇଛି। ଏଥିସହିତ ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବା ସହ ବିଭାଗର ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ଶ୍ରୀମତୀ ଗର୍ଗ୍‌ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର