୧୫ରୁ ୩ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଛି। ଲଘୁଚାପଟି ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା‌ରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ଓଡ଼ିଶାର ମୁଖ୍ୟତଃ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତାକାଲି ଲଘୁଚାପ ପ୍ରଭାବରେ ମାଲକାନଗିରି, ଗଜପତି, କୋରାପୁଟ ଓ ରାୟଗଡ଼ାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏହି ୪ ଜିଲ୍ଲାରେ ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୫ ତାରିଖଠାରୁ ବର୍ଷାର ପରିମାଣ ଧୀରେଧୀରେ କମିବ ଓ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନଥିବାରୁ କୌଣସି ୱାର୍ଣ୍ଣିଂ ଜାରି ହୋଇନାହିଁ। ୧୫ ତ‌ାରିଖଠାରୁ ଆସନ୍ତା‌ ୩ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଯୋଗୁଁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ମୌସୁମୀର ସ୍ଥିତି ଦେଖିବାକୁ ଗଲେ ଜୁନ୍‌ ୧ରୁ ୧୩ ସେପେ୍ଟମ୍ବର ମଧ୍ୟରେ ରାଜ୍ୟରେ ପ୍ରାୟ ୧୦୪୭.୯ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ଭାବେ ଏହି ସମୟ ଅବଧି ମଧ୍ୟରେ ଏତିକି ହିଁ ବ‌ର୍ଷା ହୋଇଥାଏ। ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ସେ‌ପ୍ଟେମ୍ବର ମାସରେ ଏ ପର୍ଯ୍ୟନ୍ତ ୪୫% ନିଅଣ୍ଟିଆ ବର୍ଷା ହୋଇଛି। ‌ସେପ୍ଟେମ୍ବର ୧ରୁ ୧୩ ତାରିଖ ପର୍ଯ୍ୟନ୍ତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ନିଅଣ୍ଟିଆ ୨୪ ଜିଲ୍ଲାରୁ ଉପକୂଳରେ ବର୍ଷା ପ୍ରାୟତଃ ଛାଡ଼ିଯାଇଛି ଓ ଉପକୂଳରେ ୮୦%ରୁ ଅଧିକ ନିଅଣ୍ଟିଆ‌ ହୋଇଛି। କିନ୍ତୁ ବନ୍ୟା ଯୋଗୁଁ ଉପକୂଳରେ ମାଟି ଓଦା ରହିଛି। ତେବେ ଗଞ୍ଜାମ, ଗଜପତି, ରାୟଗଡ଼ାରେ ଧାନ ଫସଲର ଅବସ୍ଥା କେତେକ ସ୍ଥାନରେ ସ୍ଥିତି ସଙ୍ଗିନ ରହିଛି। ଅଗଷ୍ଟ ମାସରେ ଏହି ୩ଟି ଜିଲ୍ଲାରେ ସବୁଠାରୁ କମ୍‌ ବର୍ଷା ହୋଇଥିଲା।

ସମ୍ବନ୍ଧିତ ଖବର