ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ, ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି। ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ। ଦିନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ୩ ଦିନ ପରେ ୩୦ ତାରିଖ ବେଳକୁ ରାଜ୍ୟରେ ଝଡ଼ତୋଫାନ ଜନିତ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଭାରତରୁ ମୌସୁମୀ ‌ପ୍ରତ୍ୟାବର୍ତ୍ତନ ସମୟ ଆସିଯାଇଛି। ଆକଳନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ରାଜସ୍ଥାନ ତଥା ଏହାର ସଂଲଗ୍ନ ଅଞ୍ଚଳରୁ ମୌସୁମୀ ଫେରିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ମୌସୁମୀ ଟ୍ରଫ୍‌ ଲାଇନ୍‌ ଏବେ ଗଙ୍ଗାନଗରରୁ ବ‌ାହାରି ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଏହା ଦିଘା, ରୋହତମ୍‌ ଓ ବାରଣାସୀ ମଧ୍ୟ ଦେଇ ଗତି କରୁଛି। ଗତକାଲିର ଟ୍ରଫ୍ ଲାଇନ୍‌ ଏବେ ପୂର୍ବ ବିହାର ଓ ସଂଲଗ୍ନ ସବ୍‌ହିମାଳୟାନ୍‌ ପଶ୍ଚିମବଙ୍ଗ ଓ ସିକିମ୍‌ ଅଞ୍ଚଳରୁ ବାହାରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଯାଏ ବ୍ୟାପିଛି। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ମଧ୍ୟ ଦେଇ ଗତି କରୁଛି ଓ ସମୁଦ୍ର ପତ୍ତନଠାରୁ ୩.୧ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଛି। ଫଳରେ ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏବେ ମୌସୁମୀ ଦୁର୍ବଳ ରହିଥିବାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୩ ଦିନରେ ଦିନର ତାପମାତ୍ରା ବୃଦ୍ଧି ପାଇବ। ୩୦ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ଏଥିପା‌ଇଁ ଜିଲ୍ଲାଗୁଡ଼ିକରେ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ବର୍ତ୍ତମାନ ସୁଦ୍ଧା ଅର୍ଥାତ ୧ ଜୁନ୍‌ରୁ ୨୭ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୧୧୩୧.୮ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ବାଭାବିକ ବର୍ଷା ୧୧୪୦.୭ମିମିଠାରୁ ୧% କମ୍‌। ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ପରିମାଣର ବର୍ଷା ହୋଇଛି ବୋଲି କୁହାଯାଇପାରେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ଜିଲ୍ଲା ଯଥା ଖୋର୍ଧା, ପୁରୀ, ବାଲେଶ୍ବର ଓ ଗଜପତିରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଜାରି ରହିଛି। ଖୋର୍ଧା ଜିଲ୍ଲାରେ ୨୮%, ପୁରୀ ଜିଲ୍ଲାରେ ୨୫%, ଗଜପତି ଓ ବାଲୋଶ୍ବରରେ ପାଖାପାଖି ୨୪% ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପଟେ ମାଲକାନଗିରିରେ ୪୪% ଓ ଝାରସୁଗୁଡ଼ା ଜିଲ୍ଲାରେ ୨୬% ଅତିରିକ୍ତ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତୀ ଜିଲ୍ଲା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ବାଲେଶ୍ବର ଜିଲ୍ଲା ଗୋବିନ୍ଦପୁରଠାରେ ରେକର୍ଡ ହୋଇଛି। ଏଠାରେ ୪୬ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ୪୫ ମିମି ବର୍ଷା ହୋଇଯାଇଛି।

ସମ୍ବନ୍ଧିତ ଖବର