ଆଜିଠୁ ଲଘୁଚାପ ବର୍ଷା : ୨୨ ଯାଏ ବର୍ଷିବ; ଦକ୍ଷିଣରେ ସର୍ବାଧିକ

ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ୱର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୨.୧ କିମିରୁ ୫.୮ କିମି ଉଚ୍ଚତାରେ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି (ସୋମବାର) ସକାଳ ସୁଦ୍ଧା ଉକ୍ତ ସ୍ଥାନରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ୨୪ ଘଣ୍ଟା ପରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜି ଅପରାହ୍ନରୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଆସନ୍ତାକାଲି ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୨ ତାରିଖ ଯାଏ ବର୍ଷା ଲାଗିରହିବ। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ଥାନ‌େ ସ୍ଥାନେ ପ୍ରବଳ ଓ ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷିବ। ଏଣୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୯ରୁ ୨୨ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଚେତାବନୀ ଦିଆଯାଇଛି।

Bangalore Mirror

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଣୁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ ତାରିଖ ଦିନ ବର୍ଷାର ପରିମାଣ ବଢ଼ିବ। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତିପ୍ରବଳ ବର୍ଷିବ। ଏଥିପାଇଁ ଏହି ଦୁଇ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀରେ ପ୍ରବଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ୨୨ ତାରିଖ ଯାଏ ବର୍ଷା ଲାଗି ରହିବ। ଏଥିସହ ଏହି ସମୟ‌ରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଥିବାରୁ ୧୯ରୁ ୨୨ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି ରାତି କିମ୍ବା ୨୦ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୧ ତାରିଖରେ ଆନ୍ଧ୍ରପ୍ରଦେଶର କାକିନଡ଼ା ଓ ମଚ୍ଛଲିପଟ୍ଟନମ୍‌ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ। ୨୨ ତାରିଖରେ ଓଡ଼ିଶା ଉପକୂଳ ଓ ଆନ୍ଧ୍ର ଉପକୂଳ ନିକଟରେ ବଙ୍ଗୋପସାଗରରେ ଉତ୍ତର-ଦକ୍ଷିଣ ଦିଗରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପାଗ ମେଘୁଆ ରହିବ ବୋଲି ଅନୁମାନ କରାଯାଉଛି। ଆସନ୍ତାକାଲି ପୁରୀ ସମେତ ଗଞ୍ଜାମ, ନୟାଗଡ଼ ଓ ଆଭ୍ୟନ୍ତରୀଣ କଟକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ୨୦ ତାରିଖରେ ଏହି ୪ଟି ଜିଲ୍ଲା ସହିତ ଗଜପତି, ରାୟଗଡ଼ା ଓ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହେବ। ୨୧ରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ଓ ସ୍ଥାନେ ସ୍ଥାନେ ଭାରୀ ବର୍ଷା ହୋଇପାରେ। ୨୨ ତାରିଖ ଆଡ଼କୁ ବର୍ଷା କମିଯିବ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର