ଓଡ଼ିଶାକୁ ଡେରିରେ ଆସିବ ଶୀତ, ହାଡ଼ ଥରାଇବ

ବର୍ଷାର ପରିମାଣ ଅଧିକ ରହିବ

ଭୁବନେଶ୍ୱର : ଓଡ଼ିଶାକୁ ବିଳମ୍ବରେ ଆସିବ ଶୀତ। ବିଳମ୍ବରେ ଆସିଲେ ମଧ୍ୟ ପ୍ରବଳ ଶୀତ ପ୍ରବାହ ‌ଦେଶରେ ତଥା ରାଜ୍ୟରେ ଅନୁଭୂତ ହେବ। ଏଥିସହ ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ଶୀତଦିନିଆ ବର୍ଷାର ପରିମାଣ ସ୍ବାଭାବିକଠାରୁ ଅଧିକ ରହିବ। ସାଧାରଣତଃ ପ୍ରତିବର୍ଷ ନଭେମ୍ବରରୁ ଶୀତ ପଡ଼ିବା ଆରମ୍ଭ ହୋଇଯାଏ। କିନ୍ତୁ ଚଳିତ ବର୍ଷ ନଭେମ୍ବରରେ ତାପମାତ୍ରା ସ୍ବାଭାବିକ୍‌ କିମ୍ବା ତା’ଠାରୁ ଟିକେ ଅଧିକ ରହିବ। ଡିସେମ୍ବରରୁ ତାପମାତ୍ରା ଖସିବା ଆରମ୍ଭ କରିବ ଓ ଶୀତ ଆରମ୍ଭ ହେବ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ଲା-ନିନା ପ୍ରଭାବରେ ନଭେମ୍ବରଠାରୁ ଜାନୁଆରି ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଶୀତ ଆସିବାରେ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ଡିସେମ୍ବର ଓ ଜାନୁଆରି‌ରେ ଶୀତର ପ୍ରକୋପ ଅଧିକ ହୋଇପାରେ। ଓଡ଼ିଶାରେ ଶୀତଦିନିଆ ବର୍ଷା ଅଧିକ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ୁଛି। ଗତ ଅକ୍ଟୋବର ୧୩ ତାରିଖରେ ଅଷ୍ଟ୍ରେଲିଆର ପାଣିପାଗ ସଂସ୍ଥା ଓ ୧୫ରେ ଆମେରିକାର ଏନ୍‌ଓଏଏ ଏବଂ କଲମ୍ବିଆ ବିଶ୍ବବିଦ୍ୟାଳୟର ପାଣିପାଗ ଗବେଷଣା କେନ୍ଦ୍ର ଲା-ନିନାର ସାମ୍ପ୍ରତିକ ପରିସ୍ଥିତି ଓ ପାଣିପାଗର ପୂର୍ବାନୁମାନ ପ୍ରକାଶ କରିଛନ୍ତି। ସେଥିରୁ ଜଣାପଡ଼ୁଛି ଯେ, ଉଷ୍ମ କଟିବନ୍ଧ ପ୍ରଶାନ୍ତ ମହାସାଗରରେ ଗତ ସେପ୍ଟେମ୍ବରରେ ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ୦.୫ ଡିଗ୍ରି କମ୍‌ ରହିଥିଲା ଓ ତାହା ଅକ୍ଟୋବର ୧୧ ତାରିଖ ସୁଦ୍ଧା କ୍ରମଶଃ କମି ତ୍ରୟୋମାସିକ ତାପମାତ୍ରା ହାରାହାରି ୦.୭୭ ଡିଗ୍ରି ସେଲ୍‌ସିୟସ୍‌ କମ୍‌ ରହିଛି। ଆକଳନ କରାଯାଉଛି ଯେ ପ୍ରଶାନ୍ତ ମହାସାଗରୀୟ ନିନୋ ୩.୪ରେ ଜଳପତ୍ତନ ତାପମାତ୍ରା ଜାନୁଆରି ସୁଦ୍ଧା ୧.୭ ଡିଗ୍ରି ସେଲ୍‌ସିୟସ୍‌ କମି ଲା-ନିନା ଅଧିକ ଶକ୍ତି ଜୁଟାଇବ ଓ ଏହାପରେ ଦୁର୍ବଳ ହୋଇପାରେ। ଗତ ଦୁଇ ସପ୍ତାହରେ ଭାରତ ମହାସାଗରର ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିଲା ଏବଂ ଆକଳନ କରାଯାଉଛି ଏହାର ଉଷ୍ମତା ଜାନୁଆରିରେ ସ୍ବାଭାବିକରେ ପହଞ୍ଚିବ।

ସାଧାରଣ ଭାବେ ଲା-ନିନା ବର୍ଷାରେ ଅନେକ ସ୍ଥାନରେ ଥଣ୍ଡା ଅଧିକ ହେବା ସହ ବର୍ଷା ଓ ତୁଷାରପାତ ଅଧିକ ହୋଇଥାଏ। ବିଭିନ୍ନ ମଡେଲର ଆକଳନରୁ ଜଣାପଡ଼ୁଛି, ଚଳିତ ବର୍ଷ ଆମ ଦେଶର କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ତଥା ଦେଶର ଉତ୍ତର ପଶ୍ଚିମ ଅଂଶରେ ବର୍ଷା ଅଧିକ ହେବ। ବାକି ଅଞ୍ଚଳରେ ଏହାର ୫୦% କମ୍‌ ବର୍ଷା ହୋଇପାରେ। ଓଡ଼ିଶାରେ ନଭେମ୍ବର ଓ ଡିସେମ୍ବରରେ ସ୍ବାଭାବିକ ବର୍ଷାର ସମ୍ଭାବନା ରହିଥିବ‌ା ବେଳେ ଜାନୁଆରି ଓ ଫେବୃଆରିରେ ଅପେକ୍ଷାକୃତ କମ୍‌ ବର୍ଷା ହେବ। ନଭେମ୍ବରରେ ଓଡ଼ିଶାରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ। କିନ୍ତୁ ଡିସେମ୍ବର ଓ ଜାନୁଆରିରେ ତାପମାତ୍ରା ଖସିବ ଓ ଶୀତର ପ୍ରକୋପ ବଢ଼ିବ। ସାଇବେରିଆରୁ ଥଣ୍ଡା ପବନ ଦେଶକୁ ପ୍ରବାହିତ ହେଉଥିବାରୁ ଶୀତର ପ୍ରକୋପ ଦକ୍ଷିଣ ଭାରତ ଉପରେ ବି ପଡ଼ିବ। କିନ୍ତୁ ଏଥର ଶୀତ ଆସିବାରେ ବହୁ ବିଳମ୍ବ ହେବ।

୨୦୧୦ ରୁ ୧୨ ପର୍ଯ୍ୟନ୍ତ ଦୁଇ ବର୍ଷ ଓଡ଼ିଶା ଉପରେ ଲା-ନିନା ଅଧିକ ଶକ୍ତିଶାଳୀ ଥିଲା। ଓୟୁଏଟିର ତଥ୍ୟ ଅନୁସାରେ ୨୦୧୦ ନଭେମ୍ବର ଓ ଡିସେମ୍ବରରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ବହୁତ କମ୍‌ ରହିଥିଲା। ୨୦୧୦ ଡିସେମ୍ବର ୨୨ରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ସେଲ୍‌ସିୟସ୍‌କୁ ଖସିଥିଲା। ସେହିପରି ସେହିବର୍ଷ ଡିସେମ୍ବରରେ ବର୍ଷା ବି ଅଧିକ ହୋଇଥିଲା। ପ୍ରାୟ ୩୫ ମିମି ବର୍ଷା ରେକର୍ଡ କରାଯାଇଥିଲା।

ସମ୍ବନ୍ଧିତ ଖବର