୯ରୁ ପାଗ ଫିଟିବ : ଆଉ କାଳବୈଶାଖୀ ବର୍ଷା ହେବନି, ଦିନର ତାପମାତ୍ରା ବଢ଼ିବ

ଭୁବନେଶ୍ବର : ମାର୍ଚ୍ଚ ୯ରୁ ପାଗ ଫିଟିବ। ଆଉ କାଳବୈଶାଖୀ ବର୍ଷା ହେବନି। ଦିନର ତାପମାତ୍ରା ବଢ଼ିବ। ରାତିରେ ସେହି ଅନୁଯାୟୀ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଉପରକୁ ଚାଲିଯିବ। ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ବି ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୭ ଓ ୮ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହଲକା ବର୍ଷା ହେବ। ଗୁରୁବାର ମଧ୍ୟାହ୍ନ ମଧ୍ୟରେ ଖୋର୍ଧା ସମେତ ପୁରୀ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହଲକା ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ। ଏହାପରଠାରୁ ପାଗରେ ଧୀରେ ଧୀରେ ପରିବର୍ତନ ହେବ। ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ।

ଅନ୍ୟପକ୍ଷରେ ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ଆଜି ୩୮ରେ ପହଞ୍ଚିଛି। ଭବାନୀପାଟଣା ଓ ଟିଟିଲାଗଡ଼ର ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଛି। କେନ୍ଦୁଝର ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବା‌ଲେଶ୍ବର, ମୟୂରଭଞ୍ଜ, କଟକ, ପାରାଦୀପ, ଭୁବନେଶ୍ବର, କେନ୍ଦୁଝର, ଫୁଲବାଣୀ, ସୋନପୁରରେ ହାଲକା ବର୍ଷା ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୯.୮ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର