ଦୀପାବଳି ପରେ ରାଜ୍ୟକୁ ପୁଣି ଥଣ୍ଡା ଫେରିବ

ଭୁବନେଶ୍ୱର : ଦୀପାବଳି ପରେ ରାଜ୍ୟକୁ ପୁଣି ଥଣ୍ଡା ଫେରିବ। ଗତ ୩ ଦିନ ହେଲା ପୂର୍ବା ତରଙ୍ଗାୟିତ ପବନ ବହୁଥିବାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିଲା। ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା। କିନ୍ତୁ ଆସନ୍ତାକାଲିଠାରୁ ପୂର୍ବା ପବନ ଦୁର୍ବଳ ହେବା ସହ ଆକାଶ ନିର୍ମଳ ରହିବାର ସମ୍ଭାବନା ଥିବାରୁ ରାଜ୍ୟର ତାପମାତ୍ରା କମିବ ଓ ଶୀତ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୨/୩ ଦିନ ହେଲା ବଙ୍ଗୋପସାଗର ଅଞ୍ଚଳରୁ ଆସୁଥିବା ପବନ ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଥିଲା। କିନ୍ତୁ ପୂର୍ବ ଦିଗରୁ ବହୁଥିବା ପବନ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି। ଆସନ୍ତା ୨/୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩/୪ ଡିଗ୍ରି ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଗତ ୨୪ ଘଣ୍ଟା‌ରେ ସୋନ୍‌ପୁରଠାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିଠାରେ ୧୪ ଡିଗ୍ରି ଓ କୋରାପୁଟଠାରେ ୧୪.୬ ଡିଗ୍ରି ‌ରାତ୍ରି ରେକର୍ଡ ହୋଇଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ଓ ୬/୭ ଦିନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ‌ ମାଲକାନଗିରିଠାରେ ସ୍ବଳ୍ପ ବର୍ଷା ହୋଇଛି।

କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ମତ ପ୍ରକାଶ କରିଛନ୍ତି। ତାଙ୍କ ଆକଳନ କହୁଛି, ଆସନ୍ତା ୫ ଦିନରେ ରାଜ୍ୟରେ ଶୀତ ଆହୁରି କମିବ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବ। ୧୯ତାରିଖରୁ ରାଜ୍ୟକୁ ଥଣ୍ଡା ଫେରିବ। ତାଙ୍କ ଅନୁମାନ କହୁଛି, ଆସନ୍ତା ୫ ଦିନ ଭିତରେ ଥଣ୍ଡା ଆହୁରି କମିବ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଭୁବ‌ନେଶ୍ବର ସମେତ ଉପକୂଳ ଜିଲ୍ଲାମାନଙ୍କରେ ୧୫ ତାରିଖଠାରୁ ପୂର୍ବା ପବନ ବହିବ।

ଭୁବନେଶ୍ବର ସମେତ ଉପକୂଳରେ ୧୫ ତାରିଖ ରାତିରୁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ୧୭ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ ଡିଗ୍ରି ବଢ଼ିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୩ ଡିଗ୍ରି ବଢ଼ି ୧୮ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୧୮ ତାରିଖରେ ହାଲୁକା ବର୍ଷା ହୋଇପାରେ। ତେବେ ୨୦ରୁ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ରାତ୍ରି ତାପମାତ୍ରା ପ୍ରାୟ ୩ ଡିଗ୍ରି କମିବା ଯୋଗୁଁ ପୁଣି ଥଣ୍ଡା ବଢ଼ିବ। ‌ସେହିପରି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୧୯ ତାରିଖରୁ ପୁଣି ଥଣ୍ଡା ଫେରିବ।

ସମ୍ବନ୍ଧିତ ଖବର