ଭୁବନେଶ୍ୱର : ଏଥର ଦଶହରାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ନବମୀରେ ବର୍ଷା ନାହିଁ। ବାତ୍ୟା ହେବା ନେଇ ବିଶେଷଜ୍ଞମାନେ ଯେଉଁଭଳି ଆକଳନ ତଥା‌ ଆଶଙ୍କା ପ୍ରକାଶ କରିଥିଲେ ତାହା ମଧ୍ୟ ହେବାର ନାହିଁ। ଦଶହରାରେ କେବଳ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ପ୍ରବଳ ବର୍ଷା କିମ୍ବା ପବନର ସମ୍ଭାବନା ନାହିଁ। ଏମିତିକି ଆସନ୍ତା ୫ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଛି ସେଥିରେ ବାତ୍ୟାର କୌଣସି ବି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଥର ଦଶହରାରେ ବାତ୍ୟା ହେବା ନେଇ ଯେଉଁଭଳି ଆଗୁଆ ଗୁଜବ ସୃଷ୍ଟି କରାଯାଉଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି।

Advertisment

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦଶହରାରେ ବାତ୍ୟା ହେବା ନେଇ ଆମ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇ ନ ଥିଲା। ବରଂ ୧୦ରେ ଲଘୁଚାପ ସୃଷ୍ଟି ହେବା ନେଇ କୁହାଯାଇଥିଲା। ଯାହାକି ପରବର୍ତୀ ସମୟରେ ଅଧିକ ଘନୀଭୂତ ହେବ ବୋଲି ଆକଳନ ହୋଇଥିଲା। ତେବେ ଏପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ନାହିଁ। କେତେକ ଘରୋଇ ସଂସ୍ଥା ବାତ୍ୟା ନେଇ ଆଗୁଆ ସୂଚନା ଦେଇଥିଲେ। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଏହାର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳକୁ ଆସିବ। ତେବେ ଏହା ବାତ୍ୟା ନୁହେଁ, ବରଂ ଅବପାତ ନେଇ ଉପକୂଳକୁ ସ୍ପର୍ଶ କରିବାର ସମ୍ଭାବନା ଅଧିକ ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି ଯେ ଗୁରୁବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୧୫ ତାରିଖ ତଥା ଦଶହରାରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ଓ ବର୍ଷା ହୋଇପାରେ। ତେବେ ୧୬ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବଜ୍ରପାତ ସହ ବର୍ଷା ହେବା ନେଇ ଆକଳନ କରାଯାଇଛି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୭ ତାରିଖରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବରର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।