ଠିକ୍ ସମୟରେ ଆସିବ ମୌସୁମୀ: ଡ. ପଶୁପାଳକ
ଆସନ୍ତା ୪ ଦିନରେ ୫ଡିଗ୍ରି ଖସିବ ପାରଦ
୩ ଓ ୪ରେ ଶୀତଲହର
ଭୁବନେଶ୍ୱର : ଜାନୁଆରି, ଫେବ୍ରୁଆରିରେ ଶୀତ କମ୍ ରହିବ। ମାର୍ଚ୍ଚ, ଏପ୍ରିଲ, ମେ’ରେ ଅତିଶୟ ଗରମ ଅନୁଭୂତ ହେବ। ଜୁନ୍ରେ ତାପମାତ୍ରା କମିବା ଯୋଗୁଁ ମୌସୁମୀ ଠିକ୍ ସମୟରେ ଓଡ଼ିଶାକୁ ପ୍ରବେଶ କରିବ। ବିଭିନ୍ନ ମଡେଲ୍ ଅନୁଧ୍ୟାନ କରି ନବବର୍ଷ ଅର୍ଥାତ୍ ବର୍ଷ ୨୦୨୨ରେ ରାଜ୍ୟରେ ପାଣିପାଗର ସ୍ଥିତି ଏମିତି ସ୍ବାଭାବିକ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ମାସ ଡିସେମ୍ବରରେ ଲା-ନିନା ରହିଥିଲା ଏବଂ ଅଧିକାଂଶ ମଡେଲ କହୁଛି, ଏହା ଆସନ୍ତା ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଜାରି ରହିବ। ମେ’ରେ ଏହା ସ୍ବାଭାବିକ ଅବସ୍ଥାକୁ ଫେରିବ ବୋଲି ଅଧିକାଂଶ ମଡେଲରୁ ଆକଳନ କରାଯାଉଛି। ଏହାଦ୍ବାରା ବିଶ୍ବର ବିଭିନ୍ନ ଦେଶରେ ତାପମାତ୍ରା ଓ ବର୍ଷା ପ୍ରଭାବିତ ହେବ। କଲମ୍ବିଆ ବିଶ୍ବବିଦ୍ୟାଳୟର ଆକଳନକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଆମ ରାଜ୍ୟରେ ଜାନୁଆରି ଓ ଫେବ୍ରୁଆରିରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ଯୋଗୁଁ ଶୀତ କମ୍ ଅନୁଭୂତ ହେବ। ଦକ୍ଷିଣ ଓଡ଼ିଶାରେ ଶୀତ ଅପେକ୍ଷାକୃତ ଅଧିକ କମିବ। ମାର୍ଚ୍ଚ ଓ ଏପ୍ରିଲରେ ମଧ୍ୟ ତାପମାତ୍ରା ଅଧିକ ଯୋଗୁଁ ଶୀଘ୍ର ଓ ଅଧିକ ଗରମ ହୋଇପାରେ। ମେ’ ମାସର ତାପମାତ୍ରା ପୂର୍ବବର୍ଷଗୁଡ଼ିକ ଭଳି ରହିବ। ଜୁନ୍ରୁ ଅଗଷ୍ଟ ମଧ୍ୟରେ ଲା-ନିନା କିମ୍ବା ଏଲ୍-ନିନୋ ନ ରହି ସ୍ବାଭାବିକ ଅବସ୍ଥା ରହିବ। ଜୁନ୍ରେ ମୌସୁମୀ ଠିକ୍ ସମୟରେ ରାଜ୍ୟକୁ ପ୍ରବେଶ କରିବାର ସଂକେତ ମିଳୁଛି।
ଏବେ ରାଜ୍ୟର ତାପମାତ୍ରା ଧୀରେଧୀରେ ତଳକୁ ଖସିବ ବୋଲି ସେ କହିଛନ୍ତି। ୨ ଓ ୩ ତାରିଖରେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ୧ଡିଗ୍ରି ପର୍ଯ୍ୟନ୍ତ କମିପାରେ। ତେବେ ୫ରୁ ସମଗ୍ର ରାଜ୍ୟରେ ଶୀତ କମିବ। ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୫ରୁ ୭ ତାରିଖ ମଧ୍ୟରେ ପ୍ରାୟ ୨ ଡିଗ୍ରି ବଢ଼ିବା ବେଳେ ଉଭୟ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରରେ ପ୍ରାୟ ୪ ଡିଗ୍ରି ବଢ଼ିବ ଓ ପରବର୍ତୀ ୩ ଦିନ ପ୍ରାୟତଃ ଅପରିବର୍ତ୍ତିତ ରହିବ। ଦିନବେଳା ତାପମାତ୍ରା ବଢ଼ିବା ଯୋଗୁଁ ବସନ୍ତ ପ୍ରାରମ୍ଭ ସମୟ ଭଳି ଅନୁଭୂତ ହେବ। ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ହୋଇପାରେ। ସମ୍ଭବତଃ ଛତିଶଗଡ଼ ସୀମାନ୍ତ ଅଞ୍ଚଳର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ବେଶ୍ କିଛି ଦିନ ହେବ ତଳମୁହାଁ ରହିବା ପରେ ପାରଦ ପୁଣିଥରେ ଉପରମୁହାଁ ହୋଇଛି। ଆଜି ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ଓ ଫୁଲବାଣୀରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ରାତ୍ରି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ଯାଏ ଅଧିକ ରହିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ରାତ୍ରି ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ତଳକୁ ଖସିଯିବ। ଏଥିସହ ୩ ଓ ୪ ତାରିଖ ଆଡ଼କୁ ରାଜ୍ୟରେ ଶୀତଲହରି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ୩ ତାରିଖରେ ପ୍ରବଳ ଜାଡ଼ ଆଶଙ୍କାରେ ୟେଲୋୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଅନୁଗୁଳ, ଝାରସୁଗୁଡ଼ା, ବରଗଡ଼, ସୋନପୁର, ସମ୍ବଲପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ୪ ତାରିଖ ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।