ଆସନ୍ତା ୫ଦିନ ପାଗ ଶୁଖିଲା, ୬ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଭୋଗରାଇରେ ସର୍ବାଧିକ ୫୫ ମିମି ବର୍ଷା

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଯାଇଛି। ସର୍ବାଧିକ ବର୍ଷା ବାଲେଶ୍ବର ଜିଲ୍ଲା ଭୋଗରାଇରେ ୫୫ ମିମି ରେକର୍ଡ ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୪୬.୪ ମିମି, ଢେଙ୍କାନାଳ ଭୁବନରେ ୪୪ମିମି ବର୍ଷା ହୋଇଛି। କେନ୍ଦୁଝର ଓ ଭଦ୍ରକର କିଛି ସ୍ଥାନରେ କୁଆପଥର ପଡ଼ିଥିବା ଜଣାଯାଇଛି। ତେବ‌େ ଆଉ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଫେବ୍ରୁଆରି ୯ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

Flickr

‌ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଆସନ୍ତାକାଲି କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେହିପରି ୭ ତାରିଖରେ ଉପକୂଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନ ସହ ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ପୁରୀ ଆଦି ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିପାରେ। ୮ ତାରିଖ ଦିନ ଉପକୂଳ ଜିଲ୍ଲା ଓ ଅନୁଗୁଳ, ଢେଙ୍କାନାଳ ଏବଂ ୯ ତାରିଖରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବ ବୋଲି କେନ୍ଦ୍ର କହିଛି।

ଗତ ୨୪ ଘଣ୍ଟାରେ ସମତଳ ଅଞ୍ଚଳ ମଧ୍ୟରୁ ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ଡିଗ୍ରି ରେକର୍ଡ ହୋଇଥିବା ବେଳେ ପାହାଡ଼ିଆ ଅଞ୍ଚଳ ମଧ୍ୟରୁ କୋରାପୁଟ ସିମିଳିଗୁଡ଼ାରେ ସର୍ବନିମ୍ନ ୮ଡିଗ୍ରି ରେକର୍ଡ ହୋଇଛି। ସେହିପରି ଭୁବନେଶ୍ବରରେ ୧୫ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ଘଣ୍ଟା ଭିତରେ ପାରଦ ସ୍ତର ୨ରୁ ୩ ଡିଗ୍ରି ଖସିବାର ସମ୍ଭାବନା ରହିଛି। ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ପ୍ରଭାବ ୨ଦିନ ଯାଏ ରହିବ। କିନ୍ତୁ ଫେବ୍ରୁଆରି ୯ ପରଠାରୁ ତାପମାତ୍ରା ୨ରୁ ୪ ଡିଗ୍ରି ବୃଦ୍ଧି ଘଟିବ। ଆସନ୍ତାକାଲି ଭୁବନେଶ୍ବରର ତାପମାତ୍ରା ୧୩ ଡିଗ୍ରି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର