ପାଣିପାଗ ଓଡ଼ିଶା ଦୁଇ ଭାଗ: ପଶ୍ଚିମରେ ତାତି, ଉପକୂଳରେ ଶାନ୍ତି, ମେ’ ଶେଷ ସପ୍ତାହ ଯାଏ ନିସ୍ତାର ନାହିଁ

ତତଲାଗଡ଼ ପାଲଟୁଛି ସୋନପୁର, ଝାରସୁଗୁଡ଼ା, ଏ ମାସ ଶେଷ ବେଳକୁ ୪୫ ଡିଗ୍ରି ଟପିବ!

ଭୁବନେଶ୍ବର: ଦିନ ଥିଲା ଟିଟିଲାଗଡ଼ ଥିଲା ରାଜ୍ୟର ତତଲାଗଡ଼। ଏପ୍ରିଲ ଓ ମେ’ ମାସରେ ଏଠାରେ ତାପମାତ୍ରା ୫୦ ଡିଗ୍ରି ପାଖରେ ପହଞ୍ଚି ଯାଉଥିଲା। ଦିନେ ଦିନେ ତତଲା ତାୱାରେ ଭାଜି ହେଉଥିଲେ ସହରବାସୀ। ସକାଳ ୮ଟାରୁ ଘରୁ ପଦାକୁ ବାହାରିବା ବି କଷ୍ଟକର ହୋଇପଡ଼ୁଥିଲା। ମାତ୍ର ଏବେ ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର ସହର ତତଲା ପାଲଟିଛି। କେଉଁ ଦିନ ଝାରସୁଗୁଡ଼ା ଦେଶରେ ଉତ୍ତପ୍ତ ପାଲଟୁଛି ତ ଆଉ କେଉଁ ଦିନ ସୋନପୁର। ସ୍ଥିତି ଏମିତି ହେଲାଣି ଯେ ଅଧାରୁ ଅଧିକ ଓଡ଼ିଶା ଏବେ ତତଲା ତାୱାରେ ଭାଜି ହେଉଛି। ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶା ବି ଆଗକୁ ଆହୁରି ତାତିବ। ବଲାଙ୍ଗୀର, ସୋନପୁର, ଟିଟିଲାଗଡ଼ ପରି ସହରର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରିରେ ପହଞ୍ଚିବ। ମେ’ ଶେଷ ସପ୍ତାହ ଯାଏ ସମାନ ସ୍ଥିତି ଲାଗିରହିବ। ଆଶ୍ବସ୍ତିକର ବିଷୟ ହେଉଛି ଯେ ଉପକୂଳ ଓଡ଼ିଶାର ତାପମାତ୍ରା ବଢ଼ିବାକୁ ଥିଲେ ମଧ୍ୟ ବିଗତ ବର୍ଷଗୁଡ଼ିକ ତୁଳନାରେ କମ୍‌ ରହିବ। ଭୁବନେଶ୍ବର, କଟକ, ବାଲେଶ୍ବର, ଗୋପାଳପୁର ସହରରେ ଦିନର ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ ସାମାନ୍ୟ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଜଳବାୟୁ ପରିବର୍ତନ ସାଙ୍ଗକୁ ବର୍ଷା ନ ହେବା, ସହରଗୁଡ଼ିକରେ ବୃକ୍ଷ ହ୍ରାସ, ପଶ୍ଚିମ ଭାରତରୁ ପ୍ରବାହିତ ଗରମ ପବନ ପରି କାରଣ ଯୋଗୁଁ ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶା ତାତୁଥିବା ବେଳେ ଉପକୂଳ ଓଡ଼ିଶାରେ ତାତି କମ୍‌ ରହିଥିବା ସେମାନେ କହିଛନ୍ତି। ସୋନପୁର ଆଜି ପୁଣିଥରେ ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି। ଏଠାରେ ତାପମାତ୍ରା ୪୪.୫ ଡିଗ୍ରି ରହିଥିବା ବେଳେ ବଲାଙ୍ଗୀରରେ ୪୪, ଝାରସୁଗୁଡ଼ା, ସୁନ୍ଦରଗଡ଼, ଟିଟିଲାଗଡ଼, ବୌଦ୍ଧ ସହରର ତାପମାତ୍ରା ୪୩ ଡିଗ୍ରିରେ ପହଞ୍ଚିଛି। ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା।

ପା‌ଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି ଯେ ପାଣିପାଗରେ ଓଡ଼ିଶା ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି। ପ୍ରତିବର୍ଷ ଦେଖାଯାଏ ଯେ ପଶ୍ଚିମ ଓଡ଼ିଶା ଗରମ ରହୁଥିଲା ଏବଂ ଉପକୂଳରେ ସାମାନ୍ୟ କମ୍‌ ରହୁଥିଲା। କାରଣ ଉତ୍ତର ଭରତରୁ ଆସୁଥିବା ଶୁଷ୍କ ଗରମ ପବନ ଅଭ୍ୟନ୍ତରୀଣ ଓଡ଼ିଶା ଦେଇ ଉପକୂଳ ହୋଇ ସମୁଦ୍ରକୁ ଯାଇଥାଏ। ଅପରାହ୍ନ ସମୟରେ ସାମୁଦ୍ରିକ ପବନ ବହୁଥିବାରୁ ଓଡ଼ିଶା ଭିତରେ ୬୫ କିମି ପର୍ଯ୍ୟନ୍ତ ତାହାର ପ୍ରଭାବ ପଡ଼ିଥାଏ ଏବଂ ତାପମାତ୍ରା କମ୍‌ ରୁହେ। ଭୁବନେଶ୍ବରରେ କଂକ୍ରିଟ୍‌ ଜଙ୍ଗଲ ଓ ଯାନବାହନ ସଂଖ୍ୟା ବଢ଼ିବା, ଜଳାଶ୍ରୟ ସଂଖ୍ୟା କମିବା ଯୋଗୁଁ ତାପମାତ୍ରା ବଢ଼େ। ମାତ୍ର ଏଥର ଦକ୍ଷିଣ ଭାରତ ପଟୁ ପବନ ତେଲେଙ୍ଗାନା, ଆନ୍ଧ୍ର ଦେଇ ଉପକୂଳ ହୋଇ ବାଲେଶ୍ବର ଆଡ଼କୁ ଯାଉଥିବାରୁ ଗତ କିଛି ସପ୍ତାହ ହେଲା ତାପମାତ୍ରା ୩୬ରୁ ୩୭ ଡିଗ୍ରି ଭିତରେ ରହୁଥିଲା। ଏବର୍ଷ ଉତ୍ତର ଭାରତରୁ ଆସୁଥିବା ପବନ ସିଧାସଳଖ ପ୍ରବାହିତ ନ ହୋଇ ମୋଡ଼ି ହୋଇଯାଉଥିବାରୁ ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା ପରି ସହର ଅଧିକ ଗରମ ହେଉଛି। ସୋନପୁରରେ ଶିଳ୍ପ ନାହିଁ, ଯାନବାହନ କମ୍‌। ଜମି ଶୁଖିଲା ପାଲଟିଗଲାଣି। ତେଣୁ ସୂର୍ଯ୍ୟକିରଣ ‌ପଡ଼ିଲେ ମାଟି ଉତ୍ତପ୍ତ ହେବା ଯୋଗୁଁ ଏଠାରେ ତାପମାତ୍ରା ବଢ଼ୁଛି। ଟିଟିଲାଗଡ଼ର ଭୌଗଳିକ ଅବସ୍ଥିତି, ପଥୁରିଆ ଅଞ୍ଚଳ, ଝାରସୁଗୁଡ଼ାରେ ଜଙ୍ଗଲ ନ ଥିବା ବେଳେ ଶିଳ୍ପରୁ ନିର୍ଗତ ଗ୍ୟାସ ଉତ୍ତାପକୁ ଜାବୁଡ଼ି ଧରୁଥିବାରୁ ତାତି ବଢ଼ୁଛି। ଆସନ୍ତା ୨୪ ଓ ୨୫ ତାରିଖ ବେଳକୁ ସୋନପୁର, ଟିଟିଲାଗଡ଼, ବଲାଙ୍ଗୀର ତାପମାତ୍ରା ୪୬ ଡିଗ୍ରିରେ ପହଞ୍ଚିପାରେ। ଭଦ୍ରକ, ବାଲେଶ୍ବରରେ କାଳବ‌ୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ବଦଳିବନି। ଗଞ୍ଜାମ, ଗଜପତି, ନୟାଗଡ଼ରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ଏପ୍ରିଲରେ ଜାରି ପୂର୍ବାନୁମାନ ଅନୁଯାୟୀ ହିଟ୍‌ ୱେଭ୍‌ ରହିବନି ଏବଂ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଆକଳନ କରାଯାଇଥିଲା। ଯାହାକି ଏବେ ଜାରି ରହିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ରହୁଛି। ପଶ୍ଚିମ, ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ତାପମାତ୍ରା ବଢ଼ୁଥିବାରୁ ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଛି। ଦୀର୍ଘଅବଧିର ଆକଳନ ବେଳେ କୁହାଯାଇଥିଲା ଯେ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ହିଟ୍‌ୱେଭ୍‌ ଜାରି ରହିବ। ସେହି ଅନୁଯାୟୀ ଏବେ ସେଠାରେ ତାପମାତ୍ରା ଅଧିକ ରହିଥିବାରୁ ଅଭ୍ୟନ୍ତରୀଣ ଓଡ଼ିଶା ତତଲା ପାଲଟିଛି। ଉପକୂଳ ଓଡ଼ିଶାରେ ସାମୁଦ୍ରିକ ବାୟୁର ପ୍ରଭାବ ରହୁଥିବାରୁ ଗରମ କେବଳ ଅଭ୍ୟନ୍ତରୀଣ ଓଡ଼ିଶାରେ ରହିଯାଉଛି ଏବଂ ଉପକୂଳକୁ ଆସିପାରୁ ନାହିଁ। ପଶ୍ଚିମ ଓଡ଼ିଶାରେ ପବନର ପ୍ରଭାବ ରହୁ ନ ଥିବାରୁ ତାପମାତ୍ରା ଅଧିକ ରହିଛି। ମେ’ ରେ ବି ସମାନ ସ୍ଥିତି ଲାଗିରହିବ।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ମାଟିରେ ଆଦ୍ରତା ନ ଥିବାରୁ ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶା ତାତୁଛି। ବହୁ ଦିନ ହେଲା ଉକ୍ତ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇ ନ ଥିବାରୁ ଅଳ୍ପ ଟିକିଏ ଖରା ହେଲେ ତାପମାତ୍ରା ବଢ଼ିଯାଇଛି। ମଝିରେ ମଝିରେ କାଳବୈଶାଖୀ ହେଉଥିଲେ ମଧ୍ୟ ତାହ‌ାର ପ୍ରଭାବ ସେତେଟା ପଡ଼ୁ ନାହିଁ। ମେ’ ମାସରେ ବି ଏଭଳି ସ୍ଥିତି ଲାଗିରହିବ ଏବଂ ଶେଷ ସପ୍ତାହ ଆଡ଼କୁ ତାପମାତ୍ରା ଖସିବ। ସୋନପୁର, ଝାରସୁଗୁଡ଼ା ପରି ସହରରେ ଜଙ୍ଗଲ ପରିମାଣ କମିଯାଉଛି। ‌ଗଛ ନ ଥିବାରୁ ସୂର୍ଯ୍ୟକିରଣ ବାୟୁମଣ୍ଡଳକୁ ପ୍ରତିଫଳିତ ହେବା ସହ ଗରମ ଅନୁଭୂତ ହେଉଛି। ସାମୁଦ୍ରିକ ପବନ କମ୍‌ ଥିବାରୁ ଭୁବନେଶ୍ବର ତାପମାତ୍ରା ହଠାତ୍‌ ବଢ଼ିଯାଇଥିଲା। ଏପ୍ରିଲ ୨୭/୨୮ ବେଳକୁ ଉପକୂଳ ଓଡ଼ିଶାରେ ପୁଣିଥରେ ତାତି ବଢ଼ିବ। ଅଭ୍ୟନ୍ତରୀଣ ଓଡ଼ିଶାରେ ୪୫ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର