ଭୁବନେଶ୍ବର: ଆଗାମୀ ୩ ଦିନ ଅର୍ଥାତ ୧୪ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ବାଭାବିକଠୁ ୬ ରୁ ୭ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଵିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଳବୈଶାଖୀର ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଅନ୍ୟପଟେ ପ୍ରାକ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ ମାସରେ ଅଧିକ ରହିଛି। ଆରବ ସାଗରରେ ଥିବା ବାତ୍ୟା ବିପର୍ଯ୍ୟୟ ଉପକୂଳ ମୁହାଁ ହେଲେ ଜଳୀୟବାଷ୍ପ କିଛି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ସେପରି ହେଲେ ରାଜ୍ୟରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ହୋଇପାରେ। ଉପକୂଳରେ ଦିନ ସମୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି, ଯାହା ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତାମିଲନାଡୁ, କର୍ଣ୍ଣାଟକ ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି। ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ ଜାରି କରାଯାଇନାହିଁ।
ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୋନପୁର, ବଲାଙ୍ଗୀର, କେଉଁଝର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ବରଗଡ଼ ଆଦି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।