ଭୁବନେଶ୍ୱର: ଆସନ୍ତା ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ ଘୂର୍ଣ୍ଣିବଳୟ। ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷିବ। ପରେ ବର୍ଷାର ପରିମାଣ କମିଯିବ। ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ସୂଚନାନୁସାରେ ଗତକାଲି ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ଆଜି ପଶ୍ଚିମବଙ୍ଗର ଗାଙ୍ଗେୟ ଅବବାହିକାକୁ ଗତି କରିଛି। ଏହାର ପ୍ରଭାବରେ ଉତ୍ତର, ଦକ୍ଷିଣରେ କାଁ ଭାଁ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବା ଯୋଗୁଁ ବାୟୁମଣ୍ଡଳରେ ଏବେ ଜଳୀୟବାଷ୍ପ ରହିଥିବାରୁ ସାମାନ୍ୟ ତାତି ବଢ଼ିଲେ ଘଡ଼ଘଡ଼ି ସହିତ ମିଶି ବର୍ଷା କରାଉଛି। ତେବେ ଘୂର୍ଣ୍ଣିବଳୟର ପ୍ରଭାବ କ୍ରମଶଃ ଅପସରି ଯିବା ପରେ ବର୍ଷାର ପରିମାଣ ବି କମିଯିବ। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଥାଇଲ୍ୟାଣ୍ଡ ଉପକୂଳକୁ ଗତି କରିଥିବା ଘୂର୍ଣ୍ଣିବଳୟ ଆଗାମୀ ୭ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ଆସି ପହଞ୍ଚିବ। ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ବି ରହିଛି। ଏହାର ପ୍ରଭାବରେ ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଗଂଜାମ, ନୟାଗଡ଼, ଗଜପତି ଆଦି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟ ସ୍ଥାନଗୁଡ଼ିକରେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜେନାପୁରରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା। ଏହା ପଛକୁ ପାରାଦୀପ, କୋରାପୁଟର ପଟାଙ୍ଗୀ, ବୌଦ୍ଧରେ ୭୦ ମି.ମି., କାମାକ୍ଷାନଗର, ଲଇକେରାରେ ୬୦ ମି.ମି., ଯମନକିରା, ବନ୍ତ, ପାଇକମାଳ, ନର୍ଲା, ବୌଦ୍ଧର କଣ୍ଟାମାଳ, କାଶୀନଗର ଆଦି ସ୍ଥାନରେ ପ୍ରାୟ ୪୦ ମି.ମି. ବର୍ଷା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/images-2.jpg)