ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି: ଦିନ ୧୧.୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ବର : ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଆଜି ପୁଣି ପଶ୍ଚିମ ଓଡ଼ିଶାର ତାତି ସୀମା ଲଂଘିଥିବା ଜଣାଯାଇଛି।  ଆଜି ଦିନ ୧୧.୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଏଠାରେ ଦିନ ୧୧.୩୦ ସୁଦ୍ଧା ତାପମାତ୍ରା ୪୨.୨°ରେକର୍ଡ ହୋଇଛି। ଏଣେ ଝାରସୁଗୁଡ଼ାରେ ତାପମାନ ୪୧.୬°, ହୀରାକୁଦରେ ୪୧°, କେନ୍ଦୁଝରରେ ୩୮.୨° ରେକର୍ଡ କରାଯାଇଛି। ତେଣେ ଭୁବନେଶ୍ୱରରେ ୩୭.୨ °, ଗୋପାଳପୁରରେ ୩୫.୬°. ବାଲେଶ୍ୱରେ ୩୪.୮°, ପୁରୀରେ ୩୪.୪°, ଚାନ୍ଦବାଲିରେ ୩୩.୨° ଓ ପାରାଦୀପରେ ୩୧.୯ ତାପମାତ୍ରା ରେକର୍ଡ ହୋଇଛି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୫.୬ ଡିଗ୍ରି ରେକର୍ଡ ହୋଇଥିଲା। ଏହା ହେଉଛି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା। ଏହା ପଛକୁ ରହିଥିଲା ସମ୍ବଲପୁର। ଏଠାରେ ଦିନ ତାପମାତ୍ରା ରହିଥିଲା ୪୫.୨ ଡିଗ୍ରି। ଯାହାକି ସ୍ବାଭାବିକଠାରୁ ୫.୧ ଡିଗ୍ରି ଅଧିକ। ଏଥିସହ ସୋନପୁରରେ ୪୪.୮ ଡିଗ୍ରି, ବୌଦ୍ଧରେ ୪୪.୬ ଡିଗ୍ରି ଓ ବଲାଙ୍ଗୀରେ ୪୪ ଡିଗ୍ରି ତାପମାତ୍ରା ରହିଥିଲା। ଏଥିସହ ରାଜ୍ୟର ମୋଟ୍‌ ୨୨ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଯାଏ ଅଧିକ ରହିବ। ଫଳ‌ରେ ରାଜ୍ୟରେ ଅସ୍ବାସ୍ଥ୍ୟକର ପାଣିପାଗ ଲାଗି ରହିବ।

ସମ୍ବନ୍ଧିତ ଖବର