ଭୁବନେଶ୍ବର: ଆଉ ଦୁଇଦିନ ଜାଡ଼ରେ ଥରିବ ସାରା ରାଜ୍ୟ। ୨/୩ ଦିନ ଯାଏ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି କମିବ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖ ସକାଳ ସାଢ଼େ ୮ଟାରୁ ୮ ତାରିଖ ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଣେ ୮ ତାରିଖ ସକାଳ ସାଢ଼େ ୮ଟାରୁ ୯ ତାରିଖ ସକାଳ ସାଢ଼େ ୮ଟା ଯାଏ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ,ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଶୀତ ଲହରି ଅନୁଭୂତ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ।
କିନ୍ତୁ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ କଥା କହିଛନ୍ତି। ତାଙ୍କ ଆକଳନ କହୁଛି, ଆସନ୍ତା ୮ତାରିଖରୁ ରାଜ୍ୟରେ ଶୀତ କମିବ। ଏହାପରେ ସପ୍ତାହେ ପର୍ଯ୍ୟନ୍ତ ଶୀତ ବଢ଼ିବାର ସମ୍ଭାବନା ନାହିଁ। ଦିନର ତାପମାତ୍ରା ମଧ୍ୟ ବଢ଼ିବ। ପାଗ ଶୁଖିଲା ଓ ଖରାଟିଆ ରହିବ। ସମଗ୍ର ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ବାୟୁର ଆର୍ଦ୍ରତା ବଢ଼ିବା ସହିତ କୁହୁଡ଼ି ହେବ। ଭୁବନେଶ୍ବର ସମେତ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ୧ରୁ ୧୦ ତାରିଖ ଭିତରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ଡିଗ୍ରି ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରରେ ୮ରୁ କ୍ରମଶଃ ବୃଦ୍ଧି ହୋଇ ୧୨ତାରିଖ ସୁଦ୍ଧା ତାପମାତ୍ରା ୪ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ଉପକୂଳରେ ୯ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବ। ୧୩ ସୁଦ୍ଧା ପାରଦ ୩ରୁ ୪ଡିଗ୍ରି ବଢ଼ିପାରେ। କିନ୍ତୁ ଉତ୍ତର ଆଭ୍ୟନ୍ତରରେ ୯ ତାରିଖ ପରେ ତାପମାତ୍ରା ବଢ଼ିବାର ସମ୍ଭାବନା ପ୍ରାୟ ନାହିଁ। ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ରାଜ୍ୟର ଅନେକ ଜିଲ୍ଲାରେ ୮ ତାରିଖରୁ କୁହୁଡ଼ି ପଡ଼ିବ। ୧୧ରୁ ୧୫ ତାରିଖ ଭିତରେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।