ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃ୍ଷ୍ଟି ହେବାର ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୯ ଓ ୩୦ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର କେତେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଉପକୂଳ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଗୋଟିଏ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଓଡ଼ିଶାର ବାକି ଜିଲ୍ଲାମାନଙ୍କରେ ପାଗ ଶୁଖିଲା ଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କନ୍ଧମାଳ ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର ଓ କଳାହାଣ୍ଡି ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ସାମାନ୍ୟ କୁହୁଡ଼ି ପରିଲକ୍ଷିତ ହୋଇଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। ଆଗାମୀ ୨୪ ଘଣ୍ଟା ଲାଗି ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ। ସବୁଠି ପ୍ରାୟତଃ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି।
ନଭେମ୍ବର ସୁଦ୍ଧା ରାଜ୍ୟରେ ରାତ୍ରି ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଭାବେ ଯେତିକି ରହିବା କଥା, ସେତିକିକୁ ଚାଲି ଆସିବ ଓ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।