ସାରା ରାଜ୍ୟରେ ହାଲୁକା ବର୍ଷା, କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜସ୍ଥାନରୁ ଝାଡ଼ଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ହାଲୁକା ବର୍ଷା ହେଉଛି । ବରଗଡ଼, କନ୍ଧମାଳ, ଅନୁଗୁଳ,ସମ୍ବଲପୁର, ସୋନପୁର,ବଲାଙ୍ଗୀର,ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।
ଏବେ କଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି , ରାୟଗଡା, ଅନୁଗୁଳ, କଟକ , ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଥିବାର ଦେଖିବାକୁ ମିଳିଛି ।


ଆଜି ସକାଳେ ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୧୮.୯ ଓ ବଲାଙ୍ଗୀରରେ ୧୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଗତକାଲି ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଥିଲା । ଅନ୍ୟପଟେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ଥଣ୍ଡା ଟିକେ କମ୍ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପୂର୍ବଭଳି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କୁହାଯାଇଛି । ତେବେ ବର୍ଷା ଛାଡ଼ିଗଲା ପରେ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର