ରାଜ୍ୟର କେତେକ ସ୍ଥାନରେ ତୁଷାରପାତ, ଆଜି ବି ସୋନପୁରର ତାପମାତ୍ରା ସବୁଠାରୁ କମ୍

ଭୁବନେଶ୍ବର: ଆଜି ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବାର ଖବର ମିଳିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗିବାଡ଼ି ଓ ସିମନବାଡ଼ିରେ ତୁଷାରପାତ ହୋଇଛି । ଦାରିଙ୍ଗିବାଡ଼ିରେ ଚଳିତ ବର୍ଷ ଏହା ପ୍ରଥମ ତୁଷାରପାତ । ସେଠାରେ ଘର, ଅଗଣା, ଗଛ ପତ୍ର ସବୁଠି ଧଳା ଆସ୍ତରଣ ବସି ଯାଇଛି । ସେପଟେ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ସକାଳୁ ସକାଳୁ ଗଛପତ୍ର, ଘର ଦ୍ୱାର, ଖୋଲା ପଡ଼ିଆ, ଗାଡି, ମଟର ଉପରେ ତୁଷାର ଧଳା ଆସ୍ତରଣ ଘୋଡ଼ାଇ ହୋଇ ରହିଛି । ଶୀତରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ଠିକ୍ ସେହିପରି କୋଇଡ଼ା ବ୍ଲକର ଟେନସା, କାଲଟା, ପାଟମୁଣ୍ଡା, ସାନଇନ୍ଦିପୁର, ମାଲଦା, ଜାମୁଢି ଭଳି ସ୍ଥାନରେ ବି ତୁଷାରପାତ ହୋଇଛି । ତୁଷାରପାତ ଏବଂ ପ୍ରବଳ ଥଣ୍ଡା ଯୋଗୁଁ ଦିନରେ ତାପମାତ୍ରା କମୁଛି । ଆଗକୁ ଆହୁରି ଶୀତ ବଢିବା ନେଇ ସୂଚନା ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ଚିନ୍ତାରେ ଅଛନ୍ତି ।


ସେହିଭଳି ପଶ୍ଚିମ ଓଡିଶାରେ ମଧ୍ୟ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି ।  ଶୀତ ଲହରି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ବିଶେଷ କରି ଘରଦ୍ୱାର ନ ଥିବା ନିରାଶ୍ରୟଙ୍କ କଷ୍ଟ ବଢ଼ାଇ ଦେଇଛି ଶୀତ ।

ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡିଶା । ରାତି ବଢ଼ିଲେ ବଢ଼ୁଛି ଥଣ୍ଡା । ତା ସାଙ୍ଗକୁ ସକାଳୁ ସକାଳୁ କାଲୁଆ ପବନ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ମୟୂରଭଞ୍ଜରୁ ଆରମ୍ଭ କରି ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରି ।

ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି କରଯାଇଥିବା ଜିଲ୍ଳାଗୁଡ଼ିକ ହେଉଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ପୁରୀ, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର । ବାଲେଶ୍ୱର, କଟକ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଆଜି ବି ସୋନପୁର ଓଡ଼ିଶାର ସବୁଠାରୁ ଥଣ୍ଡା ସହର ହୋଇଛି। ଏଠାକାର ତାପମାତ୍ରା ରହିଛି ୩.୪ ଡିଗ୍ରି ସେଲସିଅସ୍।

ସମ୍ବନ୍ଧିତ ଖବର