ଭୁବନେଶ୍ବର: ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
🌡️ଆଗାମୀ 2 ରୁ 3 ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନଥିବାରୁ ଦିନ ତାପମାତ୍ରା ରେ ବୃଦ୍ଧି ସହ
☃️ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା
⛈️ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳିଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ, ଚେତାବନୀ ଜାରିକରାଯାଇଛି
— Meteorological Centre, Bhubaneswar (@mcbbsr) September 15, 2022
ଏହି ସୂଚନାରେ ଆହୁରି ମଧ୍ୟ କୁହାଯାଇଛି ଯେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବାର ବି, ଚେତାବନୀ ଜାରି କରାଯାଇଛି।
୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ ୧୮ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। ମୌସୁମୀ ବର୍ଷା କଥା ଯଦି ଦେଖିବା ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଭାବେ ୧୦୪୪.୯ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ଏହି ସମୟ ମଧ୍ୟରେ ୧୦୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି।
ଏଣେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାଙ୍କ ଦ୍ବାରା କରାଯାଇଥିବା ଆକଳନ ଅନୁଯାୟୀ ଅକ୍ଟୋବରରେ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ସବୁ ଉପକୂଳ ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉଭୟ ଅକ୍ଟୋବର ଓ ନଭେମ୍ବର ମାସରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଫଳରେ ରାଜ୍ୟକୁ ବିଳମ୍ବରେ ଶୀତ ଆସିବ। ତେବେ ଡିସେମ୍ବରରେ ତାପମାତ୍ରା ସ୍ବାଭାବିକ ରହିବ। ଅକ୍ଟୋବର ମାସର ଅଧିକ ବର୍ଷା ସଅଳ ଧାନ ଫସଲ ପାଇଁ ଅସୁବିଧା କରିପାରେ। ତେବେ ରବି ଅଣଧାନ ଫସଲ ପାଇଁ ପାଣିପାଗ ଅନୁକୂଳ ରହିବାର ସମ୍ଭାବନା ଅଧିକ ରହିଛି।